Only for Entertainment

ଆଜି ବାହୁଡ଼ା ଯାତ୍ରା ଆରମ୍ଭ: ଅପରାହ୍ଣ ୪ଟାରେ ହେବ ରଥଟଣା

ndtv
0 37

ପାରମ୍ପରିକ ରୀତିରେ ରବିବାର ପ୍ରତ୍ୟୁଷରୁ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ଗହଳି ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ପ୍ରାୟ ତିନି ଲକ୍ଷ ସରିକି ଯାତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ଆକଳନ କରାଯାଉଛି।

ଗତ ରାତିରେ ତିନି ଦିଅଁଙ୍କର କୁସୁମଲାଗି ନୀତି ପରେ ବାହୁଡ଼ା ନୀତି ଆରମ୍ଭ ହୋଇଥିଲା। ବିଧି ଅନୁସାରେ, ତିନି ଦିଅଁଙ୍କର ଧାଡ଼ି ପହଣ୍ଡିରେ ଆସିଥିଲେ। ପୂର୍ବାହ୍ନ ସାଢ଼େ ନଅଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତା’ ପଛକୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା। ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ ସମୟରେ ଶ୍ରୀଜଗନ୍ନାଥ ନାକଚଣା ଦ୍ୱାରରେ ପହଞ୍ଚିଥିଲେ।

ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ ବିଜେ କରିବା ପରେ ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରା ଦେବଦଳନ ରଥରେ ବିଜେ କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଛନ୍ତି। ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ରଥ ବିଜେ କରିବା ପରେ ଗଜପତି ମହାରାଜ ବିଜେ କରି ଛେରାପହଁରା କରିବେ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ଣ ୪ଟା ବେଳେ ରଥଟଣା ଆରମ୍ଭ ହେବ। ଲଘୁଚାପ ଯୋଗୁଁ ବର୍ଷା ନ ହେଉଥିଲେ ମଧ୍ୟ ପୁରୀ ଆକାଶ କାଉଁଳିଆ ରହିଛି।

ବାହୁଡ଼ା ଯାତ୍ରା ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଥିବା ପ୍ରକାଶ। ସୁରକ୍ଷା ବ୍ୟବସ୍ଥା ମଧ୍ୟ ବ୍ୟାପକ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More