ଶାଶୁ ଏବଂ ନଣନ୍ଦଙ୍କ ସହ ମିଶି ବିବାହ ପାଇଁ ସପିଂ କଲେ ଦୀପିକା ।
ବଲିଉଡ ଅଭିନେତ୍ରୀ ଦୀପିକା ଏବଂ ରଣବୀର ସିଂ ବିବାହ ବନ୍ଧନରେ ବାନ୍ଧି ହେବା ଖବର ଜୋରଶୋରରେ ଚର୍ଚ୍ଚା ପାଲଟିଥିଲା । ରିପୋର୍ଟ ଅନୁସାରେ ଦୁହିଁଙ୍କ ପରିବାର ବିବାହର ତାରିଖ ମଧ୍ୟ ଫାଇନାଲ କରିସାରିଥିଲେ । ଏବେ ଖବର ମୁତାବକ, ଦୀପିକା ସୁଟିଂରୁ ବ୍ରେକ ନେଇ ସପିଂ କରୁଥିବାର ନଜର ଆସିଥିଲେ । ସେ କେବଳ ତାଙ୍କ ପାଇଁ ନୁହେଁ ମାତ୍ର ରଣବୀରଙ୍କ ପରିବାର ପାଇଁ ମଧ୍ୟ କିଣାକିଣି କରିବାରେ ବ୍ୟସ୍ତ ଅଛନ୍ତି ।
ଦୀପିକାଙ୍କ ସହ ଜଡିତ ଥିବା ଏକ ବିଶେଷ ବ୍ୟକ୍ତି କହିଛନ୍ତି ଯେ ଦୀପିକା ଏବେ ଠାରୁ ଭଲ ବୋହୂ ହେବା ଲାଗି ପ୍ରୟାସ ଆରମ୍ଭ କରିସାରିଲେଣି । ଏହି କାରଣରୁ ସେ ରଣବୀରଙ୍କ ପରିବାର ସହ ମିଶି ସପିଂ କରୁଥିବା ନଜର ଆସିଥିଲେ । ଦୀପିକା ରଣବୀରଙ୍କ ମା ଏବଂ ଭଉଣୀଙ୍କ ସହ ମିଶି କିଛି ଡିଜାଇନରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ବିବାହରେ ଏହି ଡିଜାଇନରଙ୍କ ଆଉଟଫିଟରେ ଦୀପିକା ନଜର ଆସିବେ ବୋଲି ଅନୁମାନ କରାଯାଉଛି ।
ବିବାହରେ ଫିଟ ଏବଂ ସୁନ୍ଦର ଦିଶିବା ପାଇଁ ରଣବୀରଙ୍କ ଭଉଣୀ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଭଉଣୀ ରିତିକା ଏବେ ନିଜର ଓଜନ କମାଇବାରେ ଜୋରସୋରରେ ଲାଗି ପଡିଛନ୍ତି । ବିବାହ ହିନ୍ଦୁ ଧର୍ମରେ ହେବ । ନିକଟରେ ଦୀପିକା ଏବଂ ରଣବୀରଙ୍କ ପରିବାର ମୁମ୍ବାଇରେ ସାକ୍ଷାତ କରିଥିଲେ । ମାତ୍ର ଏଯାଏଁ ଜଣା ନାହିଁ ଏହି ଦୁଇ ପରିବାର କେଉଁ ଖବରକୁ ନେଇ ସାକ୍ଷାତ କରିଥିଲେ ।