୨୩ ବର୍ଷ ସାନ ଯୁବତୀଙ୍କ ପାଇଁ ରାଜଗାଦୀ ଛାଡିଥିଲେ ମାଲେସିଆ ରାଜା, ଏକ ବର୍ଷ ପରେ ହେଲା ତଲାକ
ମାଲେସିଆ କେଲାତନର ପୂର୍ବ ରାଜା ସୁଲତାନ ମୋହମ୍ମଦ-ଭି ଏବଂ ତାଙ୍କ ଠାରୁ ୨୩ ବର୍ଷ ସାନ ପତ୍ନୀ ତଥା ରୁଷର ପୂର୍ବ ବିଉଟି କ୍ୱିନ ଓକ୍ସାନା ବୋଇବୋଦିନାଙ୍କ ସହିତ ତଲାକ ହୋଇଯାଇଛି । ବିବାହର ମାତ୍ର ଗୋଟିଏ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ରିପୋର୍ଟ ଅନୁସାରେ ଦୁହେଁ ତଲାକ ପାଇଁ ୧ ଜୁଲାଇରେ ରେଜିଷ୍ଟର କରିଛନ୍ତି । ଏହା ପରେ ଦୁହିଁଙ୍କ ଡିଭୋର୍ସ ସାର୍ଟିଫିକେଟ କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସନ୍ତାନ ଜନ୍ମ ହେବାର ମାତ୍ର କିଛି ମାସ ପରେ ହିଁ ଦୁହେଁ ଅଲଗା ହୋଇଛନ୍ତି ।
ଗତବର୍ଷ ଜୁଲାଇରେ ଦୁହିଁଙ୍କ ବିବାହ ହୋଇଥିଲା ଏବଂ ମଇରେ ହଁ ଓକ୍ସାନା ଏକ ସନ୍ତାନକୁ ଜନ୍ମ ଦେଇଥିଲେ । କହିରଖୁଛୁ ଯେ ମିସ ମସ୍କୋ ଓକ୍ସାନାଙ୍କୁ ବିବାହ କରିବା ପାଇଁ ମାଲେସିଆ ରାଜା ସୁଲତାନ ମହୋମ୍ମଦ ଭି ରାଜଗାଦୀ ଛାଡି ଦେଇଥିଲେ । କାରଣ ତାଙ୍କ ବିବାହ ଖବରକୁ ନେଇ ସେତେବେଳ ଖୁବ ହଙ୍ଗାମା ହୋଇଥିଲା । ଏହି ହଙ୍ଗାମା ସୃଷ୍ଟି ହେବାର ମୁଖ୍ୟ କାରଣ ଥିଲା ଓକ୍ସାନାଙ୍କ ପୂର୍ବ ଅଫେୟାର୍ସ । ରାଜଗାଦୀ ଛାଡିବା ପରେ ରାଜା ଓକ୍ସାନାଙ୍କୁ ବିବାହ କରିଥିଲେ ।
ବିବାହ ପରେ ଓକ୍ସାନା ଇସଲାମିକ ଧର୍ମକୁ ଆପଣାଇ ନେଇଥିଲେ ଏବଂ ନିଜ ନାମକୁ ବଦଳାଇ ରିହାନା ପେଟ୍ରା ରଖିଥିଲେ । ତେବେ ବିବାହ ବିଚ୍ଛେଦ ହେବାର ଅସଲି କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତିନି ତଲାକ ପରମ୍ପରାରେ ଦୁହେଁ ଅଲଗା ହୋଇଥିଲେ । ପରେ ସିଙ୍ଗାପୁରରେ ତଲାକ ପାଇଁ ରେଜିଷ୍ଟର କରାଯାଇଥିଲା ।