Only for Entertainment

ଫ୍ରାଇଡେ ରିଲିଜ୍ : ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ଫିଲ୍ମ ‘ସୁଇ ଧାଗା’ ଏବଂ ‘ପଟାଖା’

Lifeberrys
0 48

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ୟଶରାଜ୍ ଫିଲ୍ମସର ‘ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ’ । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧୱନ ଓ ଅନୁଷ୍କା ଶର୍ମା । ଏହି ସିନେମାକୁ ଟକ୍କର୍ ଦେବା ପାଇଁ ମୁକ୍ତିଲାଭ କରିଛି ବିଶାଲ୍ ଭରଦୱାଜଙ୍କ ଫିଲ୍ମ ‘ପଟାଖା’ ।

ଫ୍ୟାମିଲି ଡ୍ରାମା ଫିଲ୍ମ ‘ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ’ ମଧ୍ୟପ୍ରଦେଶର ଗରିବ ଦମ୍ପତିଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଛି । ମୌଜି ଓ ମମତା ଏକ ସାଧାରଣ ଦମ୍ପତି । ମୌଜି ଏକ ଦୋକାନରେ କାମ କରେ ଏବଂ ସମସ୍ତଙ୍କର ମନୋରଂଜନ କରେ । ହେଲେ ମମତା ଚାହେଁ ମୌଜି ନିଜ ଦମରେ କିଛି କରୁ । ସିଲେଇ ମେସିନ୍ ଦୋକାନରେ କାମ କରୁଥିବା ମୌଜି ନିଜେ ମେସିନ୍ ଧରି ସିଲେଇ କାମ କରିବା ଆରମ୍ଭ କରେ । ଆଉ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ମୌଜି ଓ ମମତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ । ସେମାନେ ନିଜର କମ୍ପାନୀ ବନାଇବାର ସ୍ୱପ୍ନ ଦେଖନ୍ତି । ଆଉ ଯାହାର ନାମ ରଖିବା ପାଇଁ ଚାହାଁନ୍ତି ‘ସୁଈଧାଗା – ମେଡ୍ ଇନ୍ ଇଣ୍ଡିଆ’ । କିଭଳି ଭାରତରେ ତିଆରି ପୋଷାକରେ ଅନ୍ୟ ଦେଶର ନାମ ନରଖି ମେଡ୍ ଇନ୍ ଇଣ୍ଡିଆ ଲେଖାଯିବ, ତାହାକୁ ନେଇ ମୌଜି ଓ ମମତା କରନ୍ତି ଅନେକ ସଂଘର୍ଷ ।ଫିଲ୍ମରେ ମୌଜି ଚରିତ୍ରରେ ଅଭିନେତା ବରୁଣ ଧୱନ ଓ ମମତା ଚରିତ୍ରରେ ଅନୁଷ୍କା ଶର୍ମାଙ୍କୁ ଦମଦାର୍ ଅଭିନୟ ଦେଖିବାକୁ ମିଳିଛି । ୟଶରାଜ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ମନୀଷ ଶର୍ମା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଶରତ କଠରିୟା । କାହାଣୀକୁ ସୁହାଇଲା ଭଳି ମନଛୁଆଁ ଗୀତକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅନ୍ନୁ ମଲ୍ଲିକ୍ ।

ଏହି ଫିଲ୍ମକୁ ଟକ୍କର୍ ଦେବା ପାଇଁ ରିଲିଜ୍ ହୋଇଛି କମେଡି ଡ୍ରାମା ଫିଲ୍ମ ପଟାଖା । ଫିଲ୍ମର କାହାଣୀ ଦୁଇ ଭଉଣୀଙ୍କୁ ନେଇ ଗତିଶୀଳ ହୋଇଛି । ରାଜସ୍ଥାନର ଏକ ଗାଁର ଏହି ଦୁଇ ଭଉଣୀ ସବୁବେଳେ ଲଢେଇ ଓ ଝଗଡାରେ ମାତିଥାନ୍ତି । ଦୁଇ ଭଉଣୀ ପରସ୍ପରକୁ ସହି ପାରନ୍ତି ନାହିଁ । ବଦମାସି କରିବା, ବଡି ଟାଣିବା, ନିଜ ବାପାଙ୍କୁ ହଇରାଣ କରିବା, ପୁଅଙ୍କ ସହ ଫ୍ଲର୍ଟ କରିବା ଏମିତି ସବୁ ହରକତ୍ କରନ୍ତି । ଆଉ ଯେତେବେଳେ ବିବାହ କଥା ଆସେ ନିଜ ନିଜ ପ୍ରେମିକଙ୍କ ସହ ଫେରାର୍ ହୋଇ ଯାଆନ୍ତି । ହେଲେ ଭାଗ୍ୟ ଏ ଦୁଇ ଭଉଣୀକୁ ଦୁଇ ଯାଆ ଭାବେ ଗୋଟିଏ ଘରେ ଆଣି ଏକାଠି କରେ । ଏମିତି ଏକ କମେଡି – ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ପଟାଖା’ରେ ଦୁଇ ଭଉଣୀ ଚରିତ୍ରରେ ସନୟା ମଲହୋତ୍ରା ଏବଂ ରାଧିକା ମଦନଙ୍କୁ ଦେଖିବାକୁ ମିଳିଛି । ଏହାଛଡା କମେଡି ଷ୍ଟାର୍ ସୁନୀଲ୍ ଗ୍ରୋବର୍ ମଧ୍ୟ ଏହି ସିନେମାରେ ଅନ୍ୟ ଏଖ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ବିଜୟ ରାଜ୍, ନମିତ୍ ଦାସ୍, ଅଭିଷେକ ଦୁହାଁ ଏବଂ ସାନନ୍ଦ ବର୍ମା ଆଦି କଳାକାର । କ୍ୟାଟା ପ୍ରଡକ୍ସନ, ବିଫୋରୟୁ ମୋସନ୍ ପିକଚର୍ସ, ଏବଂ ବିଶାଲ୍ ଭରଦୱାଜ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଶାଲ୍ ଭରଦୱାଜ ।

ଏବେ ଦେଖିବାକୁ ବାକି ରହିଲା, ଅଡିଏନ୍ସ ଏହି ଦୁଇଟି ସିନେମା ମଧ୍ୟରୁ କାହାକୁ ବେଶି ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More