Only for Entertainment

ଆସିଲା ବିଶ୍ବକପ୍ ସଂଗୀତର ଆଉ ଏକ ଝଲକ, ହକିପ୍ରେମୀଙ୍କ ପାଇଁ ‘ହୁକ୍ ଷ୍ଟେପ୍’ ଚ୍ୟାଲେଞ୍ଜ

tweet pic of ar rahman
29

ବିଶ୍ବକପ୍ ଆଉ ମାତ୍ର ୩ ଦିନ ବାକି ଥିଲା ବେଳେ ଭାରତୀୟ ହକି ଦଳକୁ ଶୁ‌େଭଚ୍ଛାର ସୁଅ ଛୁଟିଛି। ଦେଶର ଦୁଇ ଚର୍ଚିତ ବ୍ୟକ୍ତିତ୍ବ ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବଂ ଓସ୍କାର ବିଜୟୀ ସଂଗୀତ ନିର୍ଦେଶକ ଏଆର ରେହମାନ ବିଶ୍ବକପ୍‌ ରଙ୍ଗରେ ପୂରା ରଙ୍ଗେଇ ହୋଇଯାଇଛନ୍ତି। ଉଭୟଙ୍କ ଅଭିନୀତ ବିଶ୍ବକପ୍ ସଂଗୀତ ‘ଜୟ ହିନ୍ଦ୍ ଇଣ୍ଡିଆ’ର ଆଉଏକ ଟିଜର ବା ଝଲକ ଗୁରୁବାର ପଦାକୁ ଆସିଛି। ଏଥିରେ ରେହମାନ ଏବଂ ଶାହାରୁଖ ହକି ଷ୍ଟିକରେ ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ଏବଂ ରେହମାନଙ୍କ ମଧ୍ୟରେ ଥିବା ତାଳମେଳ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। କିଛି ଦିନ ତଳେ ସଂଗୀତର ପ୍ରଥମ ଝଲକ ପଦାକୁ ଆସିଥିଲା। ଯାହା ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲା। ବିଶ୍ବକପ୍ ସଂଗୀତକୁ ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ଉତ୍ସବ ଅବସରରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯିବ। ସଂଗୀତର ଭିଡିଓରେ ନୟନତାରା, ଶିବମଣି, ନୀତି ମୋହନ, ଶ୍ବେତା ମୋହନ, ଶାଶା ତିରୁପତି, ଶ୍ବେତା ପଣ୍ଡିତ, ହର୍ଷଦୀପ କୌରଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ବିଶ୍ବକପ୍ ଅବସରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ଲାଗି ଏହି ସଂଗୀତ ନିୟମିତ ବାଜିବ।

ହକିପ୍ରେମୀଙ୍କ ପାଇଁ ‘ହୁକ୍ ଷ୍ଟେପ୍’ ଚ୍ୟାଲେଞ୍ଜ
ପ୍ରଶଂସକଙ୍କର ଆହୁରି ନିକଟତର ହେବା ଲାଗି ରେହମାନ ଗୁରୁବାରଠାରୁ ‘ହକି ହୁକ୍ ଷ୍ଟେପ୍ ଚ୍ୟାଲେଞ୍ଜ’ ଆରମ୍ଭ କରିଛନ୍ତି। ଏଥିରେ ପ୍ରଶଂସକଙ୍କ ପାଇଁ ବିଶ୍ବକପ୍‌ର ମଜା ନେବା ସହ ଶହାରୁଖ ଏବଂ ରେହମାନଙ୍କ ସହ ଉଦ୍‌ଘାଟନୀ ମଞ୍ଚରେ କେତେକ ନିଆରା ଡ୍ୟାନ୍ସ ଷ୍ଟେପ୍ ଶିଖିବାର ସୁଯୋଗ ରହିଛି। ଦେଶସାରା ବିଶ୍ବକପ୍ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟ ନେଇ ରେହମାନ ପ୍ରଶଂସକଙ୍କୁ ହକି ସଂପର୍କିତ ଏହି ଷ୍ଟେପ୍ କରିବାକୁ ଖୋଲା ଚ୍ୟା‌ଲେଞ୍ଜ ଦେଇଛନ୍ତି। ଏହି ପ୍ରତିଯୋଗିତାରେ ବିଜୟୀ ହେବାକୁ ଥିବା ଦୁଇ ଜଣ ଭାଗ୍ୟଶାଳୀ ହକି ପ୍ରେମୀ ଉଦ୍‌ଘାଟନୀ ଉତ୍ସବ ମଞ୍ଚରେ ଶାହାରୁଖ ଏବଂ ରେହମାନଙ୍କୁ ଭେଟିବାର ସୁଯୋଗ ପାଇବେ।


ରେହମାନ ନିଜ ଟ୍ବିଟର ପୃଷ୍ଠାରେ ପ୍ରଶଂସକଙ୍କୁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଆହ୍ବାନ କରିଛନ୍ତି। ସେ ଲେଖିଛନ୍ତି ଏସ୍‌ଆରକେ ଓ ମୁଁ ଆପଣଙ୍କୁ ହୁକ୍ ଷ୍ଟେପ୍ ଚ୍ୟାଲେଞ୍ଜ ଦେଉଛୁ। ମୁହଁରେ ହସ ଏବଂ ମନରେ ଉଲ୍ଲାସ ରଖି ନିଜ ହୁକ୍ ଷ୍ଟେପ୍ ଭିଡିଓ ଫେସ୍‌ବୁକରେ ପ୍ରକାଶ କରନ୍ତୁ । ଦୁଇ ଜଣ ବିଜେତାଙ୍କୁ ଆମେ ଉଦ୍‌ଘାଟନୀ ମଞ୍ଚକୁ ଆମନ୍ତ୍ରଣ କରିବୁ। ହକି ହୁକ୍ ଷ୍ଟେପରେ ରେହମାନ ଏବଂ ଶାହାରୁଖ ହକି ଷ୍ଟିକ୍ ଧରି ଚଟାଣକୁ ପିଟୁଛନ୍ତି। ଏହା ପରେ ନିଜ ଛାଥିକୁ ବାଡ଼ଉଥିବା ଭଙ୍ଗିରେ ହକି ପାଇଁ ମୋ ହୃଦୟ ସ୍ପଦନ କରୁଛି’ ବାର୍ତା ଦେଉଛନ୍ତି। ପ୍ରଶଂସକଙ୍କୁ ଠିକ୍ ଏହିଭଳି କରୁଥିବାର ଭିଡିଓ ପ୍ରକାଶ କରିବାର ଅଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More