ଭୋକିଲା ଶିଶୁର ଫଟୋ ଭାଇରାଲ ହେବା ପରେ ମାନବିକତା ଦେଖାଇଲା ସ୍କୁଲ, ପଢିବାକୁ ଦେଲା ସୁଯୋଗ
କଥାରେ ଅଛି କି, ଫଟୋ କଥା କୁହେ। କେବଳ ଲେଖିବା ମାଧ୍ୟମରେ ନୁହେଁ, ଫଟୋ ମାଧ୍ୟମରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚା ଯାଇ ପାରିବ। ଫଟୋ ମାଧ୍ୟମରେ ମଧ୍ୟ ସମାଜକୁ ପରିବର୍ତ୍ତନ କରାଯାଇପାରିବ ବୋଲି ହାଇଦ୍ରାବାଦରେ ଘଟିଥିବା ଘଟଣା ପ୍ରମାଣ କରିଛି। କିଛି ଦିନ ତଳେ ଜଣେ କୁନି ଝିଅଟି ଖାଲି ପାତ୍ର ଧରି ସ୍କୁଲର ଶ୍ରେଣୀଗୃହ ବାହାରେ ଠିଆ ହୋଇ ଭିତରକୁ ଚାହିଁଥିବାର ଫଟୋ ଭାଇରାଲ ହୋଇଥିଲା। ଖବରକାଗଜରେ ଛପା ଯାଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏବେ ସେହି ଝିଅଟିକୁ ସ୍କୁଲରେ ପଢ଼ିବାର ସୁଯୋଗ ମିଳିଛି। ଯେଉଁ ସ୍କୁଲର ଶ୍ରେଣୀଗୃହ ବାହାରେ ସେ ଠିଆ ହୋଇଥିଲେ, ଏବେ ସେହି ସ୍କୁଲରେ ତାଙ୍କୁ ପଢ଼ିବାକୁ ସୁଯୋଗ ମିଳିଥିବା ଜଣା ପଡ଼ିଛି।
ଫଟୋ ଭାଇରାଲ ହେବା ପରେ ଜଣେ ବ୍ୟକ୍ତି ଫଟୋ ପଛର ଗଭୀରତାକୁ ବୁଝିବା ସହ କୁନି ଝିଅଟିର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଆଗକୁ ଆସିଥିଲେ। ଯାହାଦ୍ବାରା କୁନି ଝିଅଟି ପଢ଼ିବାର ସୁଯୋଗ ପାଇଲା ବୋଲି ସୂଚନା ମିଳିଛି।
ସୂଚନା ମୁତାବକ, ଫଟୋଟି ଏକ ତେଲୁଗୁ ଖବରକାଗଜରେ ପ୍ରକାଶ ପାଇଥିଲା। ଫଟୋଟି ଗୁଡିମାଲକପୁରରେ ଥିବା ଦେବଲ ଝାମ୍ ସିଂହ ସରକାରୀ ହାଇସ୍କୁଲରେ ଉଠାଯାଇଥିଲା। କୁନି ଝିଅର ନାଁ ଦିବ୍ୟା ବୋଲି ଜଣା ପଡ଼ିଥିବା ବେଳେ ସେ ସବୁଦିନ ସ୍କୁଲ ଯାଉଥିଲା ଜଣା ପଡ଼ିଛି। କିନ୍ତୁ ପଢ଼ିବା ପାଇଁ ନୁହେଁ, ବରଂ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଦିବ୍ୟା ସେଠାକୁ ଯାଉଥିଲେ ବୋଲି ଜଣା ପଡ଼ିଛି। ତେବେ ଫଟୋଟି ସାମ୍ନାକୁ ଆସିବା ପରେ ଏହା ଏନଜିଓ ଏମଭି ଫାଉଣ୍ଡେସନ୍ ର ସଦସ୍ୟ ଭେଙ୍କଟ ରେଡ୍ଡୀଙ୍କ ନଜରକୁ ଆସିଥିଲା। ଯାହା ପରେ ସେ ନିଜ ଏନଜିଓର ସଦସ୍ୟଙ୍କ ସହ ମିଶି ଦିବ୍ୟାଙ୍କ ନାଁ ସେହି ସ୍କୁଲରେ ଲେଖାଇଥିଲେ।
ଦିବ୍ୟାଙ୍କ ପ୍ରଥମ ଦିନ ସ୍କୁଲ ଯିବାର ଫଟୋ ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରି ଏ ବିଷୟରେ ଜଣାଇଛନ୍ତି ରେଡ୍ହୀ। ଯାହାର କ୍ୟାପସନରେ ଲେଖାଯାଇଛି କି, ଦିବ୍ୟା ନିଜର ସାମ୍ବିଧାନିକ ଅଧିକାରର ପ୍ରୟୋଗ କଲେ। ଆଜି ଆମ ଟିମ୍ ଏବଂ ଅନ୍ୟ ସଦସ୍ୟମାନେ ମିଶି ତାଙ୍କର ସେହି ସ୍କୁଲରେ ନାଁ ଲେଖାଇଲୁ, ଯେଉଁ ସ୍କୁଲ ବାହାରେ ସେ ମଧ୍ୟାହ୍ନ ଭୋଜନର ଘଣ୍ଟି ବାଜିବା ପାଇଁ ଅପେକ୍ଷା କରିଥିଲେ। ଏ ନେଇ ମୁଁ ଆମ ଟିମ୍ ଓ ଦିବ୍ୟାଙ୍କୁ ଶୁଭେଚ୍ଛା ଜଣାଉଛି।