Only for Entertainment

ଇଣ୍ଡୋନେସିଆ ସୁନାମୀର ଲାଇଭ ଦୃଶ୍ୟ, ଦେଖନ୍ତୁ !

Gladstone Observer
0 59

ଇଣ୍ଡୋନେସିଆରେ ଭୂକମ୍ପ ପରେ ସୁନାମି ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି କରିଛି। ସୁଲାୱେସିର ଦ୍ୱୀପର ପାଲୁ ସହରରେ ସମୁଦ୍ର ଜୁଆର ମାଡ଼ି ଆସିବାରୁ ଏଯାଏ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଏକାଧିକ ଘର ଏବଂ ଗୋଟିଏ ମସଜିଦ୍‌ ମଧ୍ୟ ସମୁଦ୍ର ଜୁଆରରେ ଭାସି ଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନଥିଲେ ହେଁ ବିପୁଳ ପରିମାଣର ଧନଜୀବନ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।

ସୁନାମି ପାଲୁ ସହରରେ ମାଡ଼ିଯାଉଥିବା ବେଳେ ଏହାର ଦୃଶ୍ୟ ମୋବାଇଲ୍‌ କ୍ୟାମେରାରେ ରେକର୍ଡ କରାଯାଇଛି। ଲୋକମାନେ ସୁନାମି ଭୟରେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ଣରେ ଇଣ୍ଡୋନେସିଆର ସୁଲାୱେସିରେ ୭.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସୁନାମି ଆଲର୍ଟ କରାଯାଇଥିଲା। କିନ୍ତୁ ସୁନାମି ନ ଆସିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ପ୍ରତ୍ୟାହାର କରି ନିଆଯାଇଥିଲା।

ଇଣ୍ଡୋନେସିଆରେ ଭୂକମ୍ପ ପରେ ଭୟଙ୍କର ସୁନାମି ଆସିବା ଫଳରେ ‌୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେହିଭଳି ଶକ୍ତିଶାଳୀ ସୁନାମି ମାଡ଼ରେ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ସରକାରୀ ଅଧିକାରୀଙ୍କ କହିବାନୁସାରେ, ପାଲୁ ସହରର ସମୁଦ୍ର ତଟରେ ଲୋକମାନେ ବେଳାଭୂମି ଉତ୍ସବ ପାଳନ କରିବା ପାଇଁ ଶୁକ୍ରବାର ଏକାଠି ହୋଇଥିଲେ। ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ପରିଚୟ ମିଳିପା‌ରି ନାହିଁ। ଶବ ଚିହ୍ନଟ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଗତକାଲି ପାଲୁ ସହରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ପାଲୁ ସହର ଥରିଉଠିଥିଲା। କିଛି ଲୋକଙ୍କ କହିବାନୁସାରେ ଗତକାଲି ବାରମ୍ବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

ସତର୍କ ସୂଚନା ପ୍ରତ୍ୟାହାର କରାଯିବାର କିଛି ସମୟ ପରେ ପାଲୁ ସହରରେ ସୁନାମି ଦେଖାଦେଇଥିଲା। ୨ ମିଟର ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ି ଆସିଥିଲା। ଏହାଦ୍ୱାରା ଏକାଧିକ ଗାଡ଼ି ଓ ଘର ଭାସି ଯାଇଥିବା ଦେଖିବାକୁ ମିଳିଛି। ସହରର ମୁଖ୍ୟ ରାସ୍ତାରେ ସମୁଦ୍ର ଲହଡ଼ି ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ସୁନାମିରେ ଆହୁରି ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More