Only for Entertainment

ଆଜି କୁମାର ପୂର୍ଣ୍ଣିମା, ଜାଣନ୍ତୁ ପୂଜା କରିବାର ନିୟମ ଏବଂ ବିଧି ବିଷୟରେ

ost
119

ଓଡିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ଏହି ପର୍ବରେ ଦିନରେ ସୂର୍ଯ୍ୟ ଏବଂ ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ପୂଜା କରାଯାଏ ।

ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ ।

ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନ ଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More