Only for Entertainment

ରାଜସ୍ଥାନର ନିଆରା ପ୍ରଥା: ପ୍ରଥମେ ସନ୍ତାନ ପରେ ବନ୍ଧନ !

udaipurtimes
10

ଲିଭ୍‌ ଇନ୍‌ ରିଲେସନସିପ୍‌’ ଏକ ପାଶ୍ଚାତ୍ୟ ପରମ୍ପରାର ଅବଦାନ ବୋଲି କୁହାଯାଏ। ପୁଅ-ଝିଅ ବିବାହ ନ କରି ସାଥୀ ହେଇ ରହିବାର ଏ ସଂପର୍କକୁ ସାଧାରଣତଃ ଭାରତୀୟ ମାନେ ବିରୋଧ କରି ଆସିଛନ୍ତି। ତେବେ ଏଭଳି ପରମ୍ପରାଟିଏ ଭାରତର ଏକ ଜନଜାତି ମଧ୍ୟରେ ଯେ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ। ରାଜସ୍ଥାନର ଏହି ଜନଜାତି ଭିତରେ ଲିଭ୍‌ ଇନ୍‌ ରିଲେସନସିପ୍‌ ପ୍ରଥା ପ୍ରାୟ ଏକହଜାର ବର୍ଷ ଧରି ଚଳି ଆସୁଛି। ତେବେ ଏହି ପ୍ରଥା ସ୍ଥାନୀୟ ଭାଷାରେ ‘ଦାପା ପ୍ରଥା’ ନାମରେ ପରିଚିତ। ତେବେ ଏହି ଦାପା ପ୍ରଥାକୁ ସେମାନେ କେମିତି ପାଳିଥାନ୍ତି ଏବେ ଜାଣନ୍ତୁ।

ରାଜସ୍ଥାନର ଉଦୟପୁର, ସିରୋହି ଏବଂ ପାଲି ଜିଲ୍ଲାରେ ବସବାସ କରୁଥିବା ଗରାସିୟା ଜନଜାତିର ଏହି ଦାପା ପରମ୍ପରା ଆଧୁନିକ ସମୟର ଲିଭ୍‌ ଇନ୍‌ ରିଲେସନସିପ୍‌ ସହ ତୁଳନା କରାଯାଇଥାଏ। ଏହି ଜନଜାତିର ପୁଅ ଝିଅ ଯୌବନରେ ପାଦଦେଲେ ସେମାନେ ପରସ୍ପରର ସହମତିରେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିଥା’ନ୍ତି। ଏହାକୁ ସେମାନେ ଦାପା ପ୍ରଥା ବୋଲି କହନ୍ତି। ଏଭଳି ଏକ ପ୍ରଥା କାହିଁକି ପାଳିତ ହେଉଛି ପଚାରିଲେ ସ୍ଥାନୀୟ ଅଧିବାସୀଙ୍କ ଉତ୍ତର ହେଲା, ବହୁବର୍ଷ ତଳେ ଗରାସିୟା ଜନଜାତିର ଚାରି ଭାଇ ସ୍ୱସ୍ଥାନ ଛାଡ଼ି ଅନ୍ୟସ୍ଥାନରେ ଯାଇ ବସବାସ କରିଥିଲେ। ତିନି ଭାଇ ବିବାହ କରି ନିଜ ନଜର ପତ୍ନୀ ସହ ରହିଲେ, ମାତ୍ର ଜଣେ ଭାଇ ବିବାହ ନ କରି ଏକ କୁଆଁରୀ ଝିଅ ସହ ରହିଲା। ବିବାହର ବହୁ ବର୍ଷ ପରେ ବି ବିବାହ କରିଥିବା ତିନି ଭାଇଙ୍କର କୌଣସି ସନ୍ତାନସନ୍ତତି ହେଇ ନ ଥିଲା। ମାତ୍ର କୁଆଁରୀ ଝିଅ ସହିତ ରହିଥିବା ଭାଇଟିର ସନ୍ତାନଟିଏ ହୋଇଥିଲା ଏବଂ ସେ ହିଁ ବଂଶ ରକ୍ଷା କରିବାରେ ସହାୟକ ହୋଇଥିଲା। କୁହାଯାଏ, ଏହି ପ୍ରଥା ପ୍ରାୟ ହଜାରେ ବର୍ଷର ପୁରୁଣା।

ଦାପା ପ୍ରଥା ଅନୁଯାୟୀ, ପ୍ରଥମେ ପୁଅ ଝିଅ ମଧ୍ୟରେ ପରସ୍ପରର ସହମତି ନିଆଯାଏ। ଉଭୟଙ୍କ ସହମତି ପ୍ରକାଶ ପାଇବା ପରେ ପୁଅଘର ପରିବାର ଝିଅ ଘର ପରିବାରକୁ କଛି ଧନରାଶି ଦେଇଥା’ନ୍ତି। ଏହି ଧନରାଶି କେତେ ହେବ ତାହା ପରିବାରର ସ୍ୱଚ୍ଛଳତା ଦେଖି ସ୍ଥିର ହୋଇଥାଏ। ଏହା ପରେ ଉଭୟ ପରିବାର ପରସ୍ପର ନିକଟରେ ଶପଥ କରିଥା’ନ୍ତି। ଏହାପରେ ଯୁବକ ଯୁବତୀ ବିବାହ ନ କରି ପତି-ପତ୍ନୀ ପରି ଏକାଠି ରହନ୍ତି। ଏକାଠି ରହିବା ଭିତରେ ଯଦି ପରସ୍ପରର ବୁଝାମଣାରେ ତାଳମେଳ ନ ରହେ, ଉଭୟଙ୍କ ମାନସିକତା ଖାପ୍‌ ନ ଖାଏ କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦିଏ ତେବେ ଏହି ସମ୍ପର୍କ ଭାଙ୍ଗିବାରେ କୌଣସି ଅସୁବିଧା ନ ଥାଏ। ଏହି ସଂପର୍କ ଭାଙ୍ଗିଗଲେ ଝିଅର ପରିବାରକୁ ଯୁବକର ପରିବାର ଆଉକିଛି ଧନରାଶି ଦେବାକୁ ପଡ଼ିଥାଏ। ଏହା ପରେ ପୁଅ ଏବଂ ଝିଅ ନିଜ ଇଚ୍ଛା ମୁତାବକ କାହାକୁ ବିବାହ କରି ପାରନ୍ତି। ତେବେ ସେମାନଙ୍କଠାରୁ ଜନ୍ମ ନେଇଥିବା ସନ୍ତାନ କେବଳ ନିଜ ପିତାଙ୍କ ପାଖରେ ରହିବାର ନିୟମ ରହିଛି।

ରାଜସ୍ଥାନ ଏବଂ ଗୁଜୁରାଟର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଗରାସିୟା ଜନଜାତିଙ୍କର ଏକ ଦୁଇଦିନିଆ ବିବାହ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ମେଳାକୁ ତରୁଣ ତରୁଣୀମାନେ ଆସି ନିଜ ମନମୁତାବକ ସାଥୀକୁ ପାଇ ଫେରାର୍‌ ହେଇ ଯାଆନ୍ତି। ପରେ ସେମାନେ ଫେରି ଆସିବା ପରେ ବିବାହ ନ କରି ମଧ୍ୟ ପତି-ପତ୍ନୀ ପରି ରହନ୍ତି। ତେବେ ସାମାଜିକ ସହମତିରେ ପୁଅଘର ଝିଅଘରକୁ କିଛି ଧନରାଶି ଦେବାକୁ ପଡ଼ିଥାଏ। ସେମାନଙ୍କର ସନ୍ତାନଟିଏ ଜନ୍ମ ହେବା ପରେ ଯାଇ ସେମାନେ ବିବାହ କରିବାକୁ ଯୋଗ୍ୟ ହୁଅନ୍ତି। ଏହା ସତ୍ତ୍ୱେ ଗରାସିୟା ଯୁବତୀଟି ଯେବେ ଚାହିଁବ ପୁଣିଥରେ ଏହି ବିବାହ ମେଳାରେ ଯୋଗ ଦେଇ ନିଜର ନୂଆସାଥୀଟିଏ ବାଛି ନେଇ ପାରିବ। ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିପାରିବ। ଏଥିପାଇଁ ନୂତନ ଯୁବକଟିକୁ ପୂର୍ବ ଯୁବକ ତୁଳନାରେ ଅଧିକ ଧନରାଶି ଦେବାକୁ ପଡ଼ିଥାଏ। ଏହି ଜନଜାତିର କେତେକ ଲୋକଙ୍କର ବିବାହ ବୃଦ୍ଧକାଳରେ ତାଙ୍କର ସନ୍ତାନମାନେ କରାଉଥିବା ଦେଖିବାକୁ ମିଳେ। ବାପା-ମା’ଙ୍କ ବିବାହ ସମୟରେ ସନ୍ତାନର ବିବାହ ମଧ୍ୟ ଦେଖାଯାଏ। କେବଳ ସେତିକି ନୁହେଁ ବାହାଘରର ସମସ୍ତ ଖର୍ଚ୍ଚ ବରପକ୍ଷ ତୁଲାଇଥା’ନ୍ତି। ବିବାହ ବରଘରେ ହିଁ ହୋଇଥାଏ। ପ୍ରଥମେ ସନ୍ତାନ ଏବଂ ପରେ ବିବାହ ବନ୍ଧନକୁ ଗୁରୁତ୍ୱ ଦେଉଥିବା ଗରାସିୟା ଜନଜାତିର ଏହି ପରମ୍ପରା ସତରେ ଆଶ୍ଚର୍ଯ୍ୟଜନକ ନୁହେଁ କି! ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗରାସିୟା ଆଦିବାସୀ ସଂପ୍ରଦାୟ ରାଜସ୍ଥାନର ତୃତୀୟ ବୃହତ୍ତର ଜନଜାତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More