Only for Entertainment

୪୧ ବର୍ଷ ବୟସରେ ନନ୍ଦନକାନନର ଏକମାତ୍ର ଓରାଙ୍ଗଉଟାନ ‘ବିନି’ର ମୃତ୍ୟୁ

sambad
42

ଆଖି ବୁଜିଲା ‘ବିନି’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତିର ଏହି ଓରାଙ୍ଗଓଟାନ ଗତକାଲି ପ୍ରାୟ ୯ଟା ୪୦ ମିନିଟରେ ମୃତ୍ୟୁ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣ ଓ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ବିନିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିନି ଗଳାରେ ଥିବା ଥଳିରେ ସଂକ୍ରମଣ ଘାଆ ଯୋଗୁ ଗତ ୧ ବର୍ଷ ଧରି ଏହାର ଚିକିତ୍ସା ଚାଲିଥିଲା । ଇଂଲଣ୍ଡ ଓ ସିଙ୍ଗାପୁରର ପ୍ରାଣୀ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଓୟୁଏଟି ପ୍ରାଣୀଚିକିତ୍ସା ବିଶେଷଜ୍ଞମାନେ ଏହାର ଚିକିତ୍ସା କରୁଥିଲେ । ଗତ ତିନିଦିନ ଧରି ଏହାର ସ୍ବାସ୍ଥ୍ୟରେ ଅବନତି ହୋଇଥିଲା । ଥଣ୍ଡା ଜ୍ବର ଓ ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥିଲା ।

ଅସୁସ୍ଥତା ଯୋଗୁ ସେ ପ୍ରାଣୀ ଉଦ୍ୟାନର ୬୦ ‘ଖ’ ଖୁଆଡ଼ରେ ଶୋଇ ରହୁଥିଲା । ଓୟୁଏଟିର ପ୍ରଫେସର ନିରଞ୍ଜନ ସାହୁ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥଙ୍କ ସମେତ ସଦସ୍ୟମାନେ ଆସି ସ୍ବାସ୍ଥ୍ୟ ଅବସ୍ଥା ନୀରିକ୍ଷଣ କରି ଦେଇଥିବା ପରାମର୍ଶ କ୍ରମେ ଚିକିତ୍ସା କାଯାଉଥିଲା ।

ସମଗ୍ର ଭାରତ ବର୍ଷରେ ଏହି ପ୍ରଜାତି ପ୍ରାଣୀ ଏକମାତ୍ର ‘ବିନି’ କେବଳ ନନ୍ଦନକାନନରେ ରହି ପର‌୍ୟ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ନନ୍ଦନକାନନକୁ ଆସିବା ବେଳେ ତା’ର ବୟସ ୨୫ ବର୍ଷ ଥିଲା । ୪୧ ବର୍ଷ ବୟସରେ ତା’ର ମୃତ୍ୟୁ ହୋଇଛି । ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ ଜଙ୍ଗଲରେ ଏମାନଙ୍କର ପରମାୟୁ ୩୫ରୁ ୪୫ ବର୍ଷ ମଧ୍ୟରେ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More