Only for Entertainment

ଏକାଠି ନଜର ଆସିବେ ସିଦ୍ଧାନ୍ତ, ଅନୁ ଏବଂ ରଚନା

YouTube
0 152

ଓଲିଉଡ଼ରେ ଦୁଇଟି ଲୋକପ୍ରିୟ ଯୋଡି ହେଲେ ସିଦ୍ଧାନ୍ତ-ରଚନା ଓ ସିଦ୍ଧାନ୍ତ-ଅନୁ ଚୌଧୁରୀ । ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ପରଦାରେ । ସିଦ୍ଧାନ୍ତ ଓ ରଚନା ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ “ଭାଇ ହେଲା ଭଗାରୀ’ରେ ଏକାଠି ନଜର ଆସିଥିଲେ । ଏହାପରେ ଏହି ଯୋଡିକୁ ଦର୍ଶକ ସୁନା ହରିଣୀ, ଗଙ୍ଗା ଯମୁନା, କଣ୍ଢେଇ ଆଖିରେ ଲୁହ ଆଦି ପ୍ରମୁଖ ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ । ଅପରପକ୍ଷରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ଯୋଡି ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ, ରକତ କହିବ କିଏ କାହାର, ପୁଅ ମୋର ଜଗତ ଜିତା, ଅଗ୍ନି ପରୀକ୍ଷା ଆଦି ଓଡ଼ିଆ ସିନେମାରେ ନଜର ଆସିଥିଲେ । ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କର ଶେଷ ସିନେମା ଥିଲା ୨୦୦୨ରେ ମୁକ୍ତିଲାଭ କରିଥିବା ସୁପରହିଟ ଫିଲ୍ମ “ସନ୍ତାନ’ । ଦୀର୍ଘ ୧୬ ବର୍ଷ ହେବ ଏହି ଯୋଡି କୌଣସି ଓଡ଼ିଆ ଫିଲ୍ମରେ ନଜର ଆସିନାହାନ୍ତି । ଅନ୍ୟପଟେ ସିଦ୍ଧାନ୍ତ-ଅନୁଙ୍କ ଯୋଡି ଶେଷଥର ପାଇଁ ୨୦୧୭ରେ ରିଲିଜ ହୋଇଥିବା ‘ଗଡ ଫାଦର’ରେ ନଜର ଆସିଥିଲେ ।

ଏବେ ଶୁଣିବାକୁ ମିଳୁଛି ଯେ, ଜଣେ ନିର୍ମାତା ସିଦ୍ଧାନ୍ତ, ରଚନା ଓ ଅନୁଙ୍କୁ ଏକାଠି ଆଣିବାକୁ ଉଦ୍ୟମ କରୁଛନ୍ତି । ଅତୀତରେ କୌଣସି ବି ସିନେମାରେ ଏହି ତିନି କଳାକାର ଏକାଠି ଦେଖିବାକୁ ମିଳିନାହିଁନ୍ତି । ଯେଉଁ ସିନେମାରେ ଏଭଳି କିଛି ଘଟିବାକୁ ଯାଉଛି ତାହାର ଶୀର୍ଷକ ହେଲା “ରକ୍ତ ଚିହ୍ନେ ରକ୍ତକୁ’ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ମାଧବ ପରିଡା । ଏହାକୁ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ନିର୍ମାଣ କରାଯିବ । ଏଥିରେ ବଙ୍ଗଳାର କେତେକ କଳାକାରଙ୍କୁ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି ।

ଇତିମଧ୍ୟରେ ‘ରକ୍ତ ଚିହ୍ନେ ରକ୍ତକୁ’ର ଗୀତ ରେକର୍ଡିଂ ଶେଷ ହୋଇଛି । ଏହାର ଟ୍ରାକ୍‍ କୋଲକାତାଠାରେ ପ୍ରସ୍ତୁତ କରାଯାଇଛି । ଠିକ ସେହିପରି ଏହି ସିନେମାର ଭଏସ ଡବିଂ କଟକର ଏକ ଷ୍ଟୁଡିଓରେ ଶେଷ ହୋଇଛି । ‘ରକ୍ତ ଚିହ୍ନେ ରକ୍ତକୁ’ର ଗୀତିକାର ଓ ସଙ୍ଗୀତକାର ହେଲେ ସ୍ୱରୂପ ନାୟକ । ଖୁବ ଶୀଘ୍ର ‘ରକ୍ତ ଚିହ୍ନେ ରକ୍ତକୁ’ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ଦୁର୍ଗା ପୂଜାରେ ଏହି ଫିଲ୍ମ ରିଲିଜ ହେବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More