‘ନୋ ଏଣ୍ଟ୍ରି’ ସିକ୍ୱଲରୁ ବାଦ ପଡିବେ ସଲମାନ ଖାନ!
୨୦୦୫ରେ ରିଲିଜ ହୋଇଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ‘ପ୍ରେମ୍’ ଭୂମିକାରେ ଦର୍ଶକଙ୍କ ମନ ଜିଣିଥିଲେ ସଲ୍ମାନ । ଏହାର ସିକ୍ୱେଲ ନିର୍ମାଣ ହେବାକୁ ଥିବା ବେଳେ ସଲ୍ମାନଙ୍କ ପ୍ରଶଂସକଙ୍କ ପାଇଁ କିନ୍ତୁ ଏକ ଖରାପ ଖବର ରହିଛି । ଶୁଣିବାକୁ ମିଳିଛି ଯେ, ଏହାର ସିକ୍ୱେଲରେ ସଲ୍ମାନ ଅଭିନୟ କରିବେ ନାହିଁ ବୋଲି । ସଲ୍ମାନ ଏହି ଫିଲ୍ମରୁ ବାଦ୍ ପଡ଼ିଥିବା ବିଷୟରେ ନିଜେ ଅନୀଲ କପୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇନ୍ଶାଅହ୍ଲା’ ପରେ ନିର୍ଦ୍ଦେଶକ ଅନୀସ ବାଜ୍ମୀଙ୍କ ୧୪ ବର୍ଷ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ମଧ୍ୟ ମନା କରିଦେଇଛନ୍ତି ସଲ୍ମାନ ଖାନ୍ । ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ‘ନୋ ଏଣ୍ଟ୍ରି’ର ସିକ୍ୱେଲର ନାମ ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ରଖାଯାଇଛି ବୋଲି ଏହାର ରାଇଟର ତଥା ଡାଇରେକ୍ଟର ଅନୀସ୍ ବାଜ୍ମୀ କହିଛନ୍ତି । ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ବୋନି କପୁର ପ୍ରଡ୍ୟୁସ୍ କରୁଛନ୍ତି । ତେବେ ଫିଲ୍ମରେ ପ୍ରେମ ଚରିତ୍ର ତୁଲାଇଥିବା ସଲମାନଙ୍କୁ କେଉଁ ଅଭିନେତା ରିପ୍ଲେସ କରିବେ ତାହା ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏଥିସହିତ ସେ କହିଛନ୍ତି ଯେ, ପ୍ରେମ୍ ଚରିତ୍ର ପାଇଁ ଅଭିନେତାଙ୍କ ସନ୍ଧାନ ହୋଇଯିବା ପରେ ଫିଲ୍ମର ସୁଟିଂ ଖୁବ୍ଶୀଘ୍ର ଆରମ୍ଭ ହେବ । ଏଠାରେ ଉଲ୍ଲେଖନୀୟ ଯେ, ‘ନୋ ଏଣ୍ଟ୍ରି’ ଫିଲ୍ମରେ ତିନି ଜଣ ହିରୋ ଏବଂ ହିରୋଇନ୍ ଥିବାବେଳେ ଏହାର ସିକ୍ୱେଲରେ ଦଶ ଜଣ ହିରୋ ଏବଂ ଛଅ ଜଣ ହିରୋଇନ୍ ରହିବେ । ଏଥିସହିତ ଭିଏଫ୍ଏକ୍ସକୁ ମଧ୍ୟ ଏଥିରେ ଆଡ କରାଯିବ ବୋଲି ଜଣାପଡ଼ିଛି । କେବଳ ଏକ୍ସଟ୍ରା ମାରିଟାଲ ଅଫାୟର୍ସ ଉପରେ ହିଁ ନୁହେଁ ବରଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଖଟା ମିଠା ସମ୍ପର୍କକୁ ନେଇ ଏହି ଫିଲ୍ମଟିର କାହାଣୀ ଆଧାରିତ ହେବ ବୋଲି ନିର୍ଦ୍ଦେଶକ ଅନୀସ୍ କହିଛନ୍ତି ।