Only for Entertainment

‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ୨୦୧୯’ ଟାଇଟଲ୍‌ ଜିତିଲେ ରାୟଗଡା ଝିଅ ଶୀତଲ ସାହୁ

Odisha Bytes
49

୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି। ସୌନ୍ଦର୍ଯ୍ୟ ସହ ନିଜର ଦୃଢ଼ ଆତ୍ମବିଶ୍ୱାସ ବଳରେ ସଫଳତା ହାସଲ କରିଛନ୍ତି ଶୀତଲ। ଆସନ୍ତା ଜୁନ୍‌ ୧୫ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଫେମିନା ମିସ୍‌ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ସେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ।

୨୦୧୮ରେ ଶ୍ରୁତିକ୍ଷା ନାୟକଙ୍କ ପରେ ୨୦୧୯ ପାଇଁ ମିସ୍‌ ଇଣ୍ଡିଆ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି ଶୀତଲ। ସେ ଏବେ ମୁମ୍ବାଇରେ ସଫ୍ଟଓ୍ବେର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ରାୟଗଡ଼ା ଜିଲା ଗୁଣୁପୁରର ଏସ୍‌ଏଲ୍‌ଏନ୍‌ଏମ୍‌ ହାଇସ୍କୁଲରୁ ପାଠ ପଢ଼ିଥିବା ଏହି ମଡେଲ୍‌ କମ୍‌ ମେଧାବୀ ଛାତ୍ରୀ ବୁର୍ଲା ଭିଏସ୍‌ଏସ୍‌ୟୁଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। କଠୋର ପରିଶ୍ରମ ମାଧ୍ୟମରେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

sheetaL-SAHU

ଗତ ଏପ୍ରିଲ ୧୩ରେ ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ବିଗ୍‌ବଜାରରେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆର ଭୁବନେଶ୍ୱର ଅଡିଶନ୍‌ରେ ଶୀତଲ ଅନ୍ୟ ଦୁଇ ପ୍ରତିଯୋଗୀଙ୍କ ସହ ଶ୍ରେଷ୍ଠ ବିବେଚିତ ହୋଇ ଇଷ୍ଟ୍‌ ଜୋନ୍‌ରେ ଭାଗନେବାକୁ ମନୋନୀତ ହୋଇଥିଲେ। ତାଙ୍କ ସହ ବିଜେବି କଲେଜରେ ଜର୍ନାଲିଜମ୍‌ ପଢ଼ୁଥିବା ସାଙ୍ଗକୁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ତମନ୍ନା ବ୍ୟାସ ଓ କିଟ୍‌ରୁ ଏମ୍‌ବିଏ ପରେ ଏଚ୍‌ଆର୍‌ ଭାବେ କାର୍ଯ୍ୟରତ ଅରୂପା ରଥ ଏଥର ଗୋଲ୍ଡେନ୍‌ ଟିକେଟ୍‌ ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲେ। କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ସମସ୍ତ ୩ ପ୍ରତିଯୋଗୀ ଦୁଇଟି ରାଉଣ୍ଡ ଏଫ୍‌ବିବି ଓ ଆଲ୍‌ପା ଆଣ୍ଡ୍‌ ରୀନା ପ୍ରିଣ୍ଟେମ୍ପ୍‌ସ ଫ୍ଲିଙ୍ଗ୍‌ ୨୦୧୯ କଲେକ୍ସନ ରାଉଣ୍ଡରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଚଳିତବର୍ଷ ମିସ୍‌ ଇଣ୍ଡିଆ ଇଷ୍ଟ୍‌ ଜୋନ୍‌ ମେଣ୍ଟର ଭାବେ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ନେହା ଧୁପିଆ ଥିବାବେଳେ ଇଷ୍ଟ୍‌ ଜୋନାଲ୍‌ କ୍ରାଉନିଂ ପ୍ରତିଯୋଗିତାରେ ବିଚାରକ ଭାବେ ମଡେଲ୍‌ ତଥା ଅଭିନେତ୍ରୀ ଇଶା ଗୁପ୍ତା, ନେହା ଧୁପିଆ, ଫୁଟବଲ ଖେଳାଳି ବାଇଚୁଙ୍ଗ୍‌ ଭୁତିଆ, ମଡେଲ୍‌ ତଥା ଅଭିନେତା ରୋହିତ ଖଣ୍ଡେଲଓ୍ବାଲ୍‌, ପ୍ରଯୋଜିକା ତଥା ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତା ଯୋଗଦେଇଥିଲେ। ଏହି ଅବସରରେ ଇଷ୍ଟ୍‌ ଜୋନ୍‌ର ୧୩ ରାଜ୍ୟର ଷ୍ଟେଟ୍‌ ଓ୍ବିନର୍‌ମାନଙ୍କୁ ବଛାଯାଇଥିଲା। ଚଳିତବର୍ଷ ମିସ୍‌ ଇଣ୍ଡିଆର ୫୬ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଦେଶର ୩୦ ରାଜ୍ୟରେ ଅଡିଶନ୍‌ କରାଯାଇ ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More