ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଜାଣନ୍ତୁ ଏହି ପୂଜାର ମହତ୍ୱ
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ଆଜି ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ ।
ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।
ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।
ପୂଜାର ମହତ୍ୱ-
ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ରହିଛି। ୨, ୪ ଏବଂ ୧୦ ବାହୁ ବିଶିଷ୍ଟ। ୧, ୪ଏବଂ ୫ ମୁଖ ବିଶିଷ୍ଟ। ବିଶ୍ୱକର୍ମା ପୂଜା ଦିନ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ସାର୍ବଜନୀନ ଭାବେ ପାଳନ କରାଯାଏ। ଏହି ଦିନରେ ପୂଜା କଲେ ବେପାରବାଣିଜ୍ୟରେ ଅଧିକ ଉନ୍ନତି ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିନରେ କାରଖାନା, ଦୋକାନ , ବିଭିନ୍ନ ଯାନ୍ତ୍ରିକ ଦୋକାନରେ ଥିବା ମେସିନ ମାନଙ୍କର ପୂଜା କରାଯାଏ। ଦୀପଧୂପ, ଫୁଲ, ଭୋଗ ଆଦି ଯଥାପୂର୍ବକ ଅର୍ପଣ କରାଯାଇ, ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ।
ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ୱ ରହିଛି। ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ। ତେଣୁ ଆଜିକା ଯୁଗରେ ମଧ୍ୟ ଏହି ପୂଜାର ଖୁବ ମାନ୍ୟତା,ମହତ୍ୱ ରହିଛି। ଏହି ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।