Only for Entertainment

କେବେ ଅଭିନୟ କରି ସାଉଁଟିଥିଲେ ପ୍ରଶଂସା,ଏବେ ଅବହେଳିତ ଅବସ୍ଥାରେ ବିତୁଛି ଜୀବନ ।

kanak news
0 48

ସେଦିନ ଷ୍ଟେସନ୍ ବଜାର ମେଢ଼ ଦେଖିବାକୁ ସେ ଏକା ଘରୁ ଚାଲି ଆସିଥିଲେ। ତାଙ୍କଠାରେ କ’ଣ ଦେଖିଲେ କେଜାଣି, ଜଣେ ବ୍ୟକ୍ତି ହଠାତ୍ ଆସି ପଚାରିଲେ ଫିଲ୍ମରେ ପାର୍ଟ କରିବୁ। ଫିଲ୍ମ କଥା ଶୁଣି ତାଙ୍କର ଆନନ୍ଦର ସୀମା ରହିଲାନି। ହଁ ମାରିଦେଲେ। ସେଇଠୁ ଗାଡ଼ିରେ ବସି ସିଧା ସୁଟିଂ ସେଟରେ ପହଞ୍ଚିଗଲେ। କିଛି ବୁଝିବା ଆଗରୁ ନିର୍ଦେଶକ କହିଲେ, ତମେ ସୂର୍ପଣଖାର ଅଭିନୟ କରିବ। ଏଇ ନିଅ, ସ୍କ୍ରିପ୍ଟ୍ ପଢ଼। ବିକଟାଳ କାନ୍ଦର ଅଭ୍ୟାସ କର। ସୁଟିଂ ସରିଲା। ଲକ୍ଷ୍ମଣ ତାଙ୍କ ନାକ କାଟି ଦେବା ପରେ ତାଙ୍କ ଯନ୍ତ୍ରଣା ଜର୍ଜରିତ କାନ୍ଦର ଅଭିନୟ ଦେଖି ପୂରା ଫିଲ୍ମ ୟୁନିଟ୍ ସାବାସି ଦେଇଥିଲା। ଫିଲ୍ମ ହିଟ୍ ହେଲା। କିନ୍ତୁ ସେଦିନ କ୍ୟାମେରା ସାମ୍ନାରେ ନାକ କଟିଯିବାର ଅଭିନୟ କରି ଛାତି ଫଟେଇ କାନ୍ଦୁଥିବା ସୂର୍ପଣଖା ଆଜି ବି ଅଦେଖା ଲୁହରେ ଭିଜୁଛନ୍ତି। କେବଳ ଫରକ ଏତିକି ସେଦିନ ରିଲରେ କାନ୍ଦୁଥିଲେ, ଆଜି ରିଅଲ୍ ଲାଇଫରେ।

ଏବେ ପେଟ ଚାଖଣ୍ଡକ ପାଇଁ ଜରି ଗୋଟାଉଛନ୍ତି ‘ରାମାୟଣ’ ଚଳଚ୍ଚିତ୍ରର ଖଳନାୟିକା ସୂପର୍ଣଖା। ନାଁ ତାରିଣୀ ପାତ୍ର। ଘର ବ୍ରହ୍ମପୁର ପୋଲସରାର ହାତୀଗୋଠରେ। ନା ମୁଣ୍ଡ ଗୁଞ୍ଜିବାକୁ ଛାତ ଅଛି, ନା ପରିଣତ ବୟସରେ ଭାତ ଖଣ୍ଡେ ଦେବାକୁ ପୁଅ ହାତ ବଢ଼ାଉଛି। ସକାଳୁ ସଂଜଯାଏଁ ବୁଲିବୁଲି ଯେତିକି ଜରି ଗୋଟାନ୍ତି, ଗୋଟେ ବେଳା ଖାଇଦିଅନ୍ତି। କିନ୍ତୁ ଆର ଓଳା ଉପାସରେ ବିତେ। ଯେତେଥର ସୁଯୋଗ ଆସିଛି, ଲୁଚିଛପି ଅଭିନୟ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏଯାଏଁ କଳାକାର ଭତ୍ତା ପାଇନାହାନ୍ତି। ବିଡ଼ମ୍ବନା ଏହି ଯେ, ଅଭିନୟର କୌଣସି ସ୍ୱୀକୃତିଟିଏ ତାଙ୍କ ପାଖରେ ନାହିଁ।

ଆଜି ବି ବାଟରେ ଚାଲି ଯାଉଥିବା ବେଳେ ତାଙ୍କ ଭିତରର କଳାପଣ ଆପେଆପେ ବାହାରକୁ ଚାଲିଆସେ। ରାସ ଛଳରେ ସେ କେବେ କେମିତି ଅଣ୍ଟାରେ ଛଟକ ଦେଖେଇ ଦେଇ ଅନେକଙ୍କୁ ରୋମାଞ୍ଚିତ କରନ୍ତି। କିନ୍ତୁ ରାତିରେ ତାଙ୍କର ଅଭୁଲା ଅତୀତକୁ ଘାରି ହୋଇ ଢେର୍ କାନ୍ଦନ୍ତି। କାହା ପିଣ୍ଡାରେ ଟିକେ ଆଶ୍ରା ମିଳିଗଲେ କାଖରେ ଜାକିଥିବା ସ୍ୱପ୍ନର ପୁଟୁଳିକୁ ମୁଣ୍ଡତଳେ ଗୁଞ୍ଜି ଦେଇ ଶୋଇବା ବେଳେ ଆଖିରୁ ଧାରଧାର ଲୁହ ନିଗିଡ଼ି ଯାଏ।

ମାତ୍ର ଗୋଟିଏ ପ୍ରଶ୍ନର ଉତ୍ତର ଆଜିି ବି ସେ ଖୋଜି ବୁଲୁଛନ୍ତି। ଯୋଉଦିନ ସୂର୍ପଣଖା ଭୂମିକାରେ ଅଭିନୟ ସାରି ଘରକୁ ଫେରିଥିଲେ, ସେଦିନ ସ୍ୱାମୀ ତାଙ୍କୁ ନିର୍ଧୁମ୍ ପିଟିଥିଲେ। କହିଥିଲେ, ଗଲା ରାସ କରିବାକୁ, ଲାଜ ଲାଗୁନି। ରାତିସାରା ମାଡ଼ର ଯନ୍ତ୍ରଣାରେ ଛଟପଟ ହେଲେ। ଶେଷରେ ପୁଅ ବି ସେୟା କଲା। କହିଲା, ଆଜିଠୁ ତୋ ମୁହଁ ଚାହିଁବିନି। କଳାକାରଟିଏ ହେଲେ ବୋଲି ସ୍ୱାମୀ ଓ ପୁଅ ମୁହଁ ଫେରେଇନେଲେ। ଏସବୁ ଶୁଣିବା ପରେ ଯେମିତି ମୂକ ପାଲଟି ଯାଇଥିଲେ ତାରିଣୀ। ଦୁର୍ଭାଗ୍ୟ ଏହି ଯେ, ନିଜ ଅଭିନୟକୁ ବି ସେ ବଡ଼ ପରଦାରେ ଦେଖିବାର ସାହସ ଜୁଟାଇ ପାରିଲେନି। ଏବେ ସ୍ୱାମୀ ଆରପୂରରେ। ପୁଅ ଚେନ୍ନାଇରେ। ସେଦିନର ଯୁବତୀ ତାରିଣୀ ଆଜି ବୃଦ୍ଧା ତାରା। ଖାଲି ଯେମିତି ବଞ୍ଚିବା ପାଇଁ ବଞ୍ଚିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More