ମୁହଁର ରିଙ୍କଲ ଦୂର କରେ ପୋଦିନା ।
ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ…
ପୋଦିନାକୁ ଏକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ଭାବେ ବହୁ ପୁରୁଣା ଦିନରୁ ବ୍ୟବହାର କରାଯାଇଆସୁଅଛି। ଏଥିରେ ଥିବା ବିଭିନ୍ନ ତତ୍ତ୍ୱ ତ୍ୱଚା ଏବଂ କେଶର ସୁନ୍ଦରତାକୁ ବଢାଇଥାଏ। ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ…
* ବ୍ଲାକ୍ହେଡ୍ ଦୂର କରିବାରେ ପୁଦିନା ପତ୍ର ବେଶ୍ ଉପକାରୀ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ କିଛି ପୁଦିନା ପତ୍ରକୁ ଅଳ୍ପ ପାଣିରେ ଭଲ ଭାବେ ଫୁଟେଇ ଦିଅନ୍ତୁ। ଏହି ପତ୍ରକୁ ଭଲ ଭାବେ ବାଟି ସେଥିରେ ଅଳ୍ପ ହଳଦୀଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଅଙ୍ଗୁଳି ଟିପ ସାହାଯ୍ୟରେ ଧୀରେ ଧୀରେ ବ୍ଲାକ୍ହେଡ୍ ଥିବା ସ୍ଥାନକୁ ରଗଡନ୍ତୁ। ଅଳ୍ପ ସମୟ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
* ପୁଦିନା ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ତେଣୁ ଏହାର ପେଷ୍ଟକୁ ଫେସ୍ପ୍ୟାକ୍ ଭାବେ ଲଗାଇବା ଦ୍ୱାରା ବ୍ରଣ ଏବଂ କଳାଦାଗ ଆଦି ଦୂର ହୋଇଥାଏ।
* ପୁଦିନା ପତ୍ରବଟାରେ ହଳଦୀଗୁଣ୍ଡ ଏବଂ ରୋଜ୍ଓ୍ବାଟର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ମିନିଟ୍ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସ୍କିନ୍ ଟୋନ୍ ବଢିବ ଏବଂ ପୂର୍ବାପେକ୍ଷା ଅଧିକ ଗୋରା ଲାଗିବ।
* ରିଙ୍କ୍ଲ କିମ୍ବା ଫାଇନ୍ ଲାଇନ୍ ଭଳି ସ୍କିନ୍ ଏଜିଂ ସମସ୍ୟା ଦୂର କରିବାରେ ମଧ୍ୟ ଏହା ବେଶ୍ ସାହାଯ୍ୟ କରିଥାଏ। କିଛି ପୁଦିନା ପତ୍ରକୁ ପାଣିରେ ସିଝାଇ ଦିଅନ୍ତୁ। ପତ୍ରକୁ ଛାଣି ଅଲଗା କରି ଦିଅନ୍ତୁ। ଏହି ପାଣିକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରନ୍ତୁ ଉପକୃତ ହେବେ।
* ମୁହଁ କୁଣ୍ଡାଇ ହେବା କିମ୍ବା ପୋଡିବା ସମସ୍ୟା କେତେକଙ୍କଠାରେ ଦେଖିବାକୁ ମିଳେ। ଏହାକୁ ରୋକିବା ଲାଗି ପୁଦିନା ପତ୍ର ବଟାକୁ କିଛି ସମୟ ମୁହଁରେ ଲଗାଇ ରଖନ୍ତୁ। ସ୍କିନ୍ ଆଲର୍ଜି କିମ୍ବା ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍ ଥିଲେ ଶୀଘ୍ର ଦୂର ହୋଇଯିବ।
* କେଶ ପାଇଁ ପୁଦିନାପତ୍ର ବହୁ ଉପକାରୀ। ଏହାକୁ ବାଟି ଲଗାଇଲେ କେଶ ଘନ ହୋଇଥାଏ। କେଶ ଝଡିବା ଦୂର କରିବାରେ ମଧ୍ୟ ପୁଦିନା ଲାଭଦାୟକ। ପୁଦିନା ପତ୍ରକୁ ୨୦ ମିନିଟ୍ ପାଣିରେ ସିଝାନ୍ତୁ। ଉକ୍ତ ପାଣିକୁ ଥଣ୍ଡା କରି କେଶ ମୂଳ ବା ସ୍କାଲ୍ଫ୍ରୁ ଅଗ ଯାଏ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ୧୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।