କେୟାର ହୋମକୁ ନଯିବା ପାଇଁ ପୁଅକୁ ଗୁଳି କରି ହତ୍ୟା କଲେ ୯୨ ବର୍ଷିୟା ମା’ !
ପୁଅର ବୟସ ୭୨ ଏବଂ ମାଆଙ୍କ ବୟସ ୯୨ । ତେବେ ଏହି ବୟସରେ ମାଆ ପୁଅକୁ ଗୁଳି କରି ହତ୍ୟା କରିବା ଘଟଣା ହଠାତ୍ ପୁଲିସ ବିଶ୍ୱାସ କରିପାରି ନଥିଲା । ମାତ୍ର ଯାଞ୍ଚ ପରେ ମହିଳା ଜଣଙ୍କ ଯେଉଁ ସୂଚନା ଦେଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଘଟଣାଟି ଆମେରିକାର ଏରିଜୋନାର ଫାଉଣ୍ଟେନ ହିଲ ସହରର ଅଟେ ।
ଖବର ଅନୁସାରେ ୭୨ବର୍ଷର ପୁଅ ୯୨ ବର୍ଷିୟା ମାଆଙ୍କୁ ସମ୍ଭାଳିବାରେ ଅସମର୍ଥ ଥିଲେ । ତେଣୁ ମାଆଙ୍କର ଯତ୍ନ ନେଇପାରୁନଥିବାରୁ ସେ ମାଆଙ୍କୁ କେୟାର ହୋମରେ ଛାଡିବାର ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ସେ ମାଆଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମାତ୍ର ଏହି ଆଲୋଚନା ପରେ ଗଣ୍ଡଗୋଳର ରୂପ ନେଇଥିଲା ।
ବୃଦ୍ଧା ଜଣଙ୍କ କେୟାର ହୋମ ଯିବାକୁ ଆଦୌ ରାଜି ନଥିଲେ । ଏହାର କିଛିଦିନ ପରେ ଅଚାନକ ବୃଦ୍ଧା ପୁଅର ରୁମରେ ପସି ତା ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ସେହି ସମୟରେ ପୁଅ ସହ ବେଡରେ ଥିଲେ ତାଙ୍କ ୫୭ବର୍ଷିୟା ଗାର୍ଲଫ୍ରେଣ୍ଡ । ପରେ ପୁଲିସ୍ ଏହି ବୃଦ୍ଧାଙ୍କୁ ଗିରଫ କରିଥିଲା । ବୃଦ୍ଧା ଜଣଙ୍କ ଭଲରେ କଥା କହିପାରୁନଥିଲା ବେଳେ ଚାଲିବାରେ ମଧ୍ୟ ଅସମର୍ଥ ଅଟନ୍ତି । ଯାଞ୍ଚ ସମୟରେ ପୁଲିସ ସବୁ ସତକଥା ବୃଦ୍ଧାଙ୍କ ଠାରୁ ଜାଣିବାରେ ସଫଳ ହୋଇଥିଲା । ସ୍ଥାନୀୟ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି ।