ବଲିଉଡ୍ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନିଙ୍କ ୭ବର୍ଷର ପୁଅକୁ ଆକ୍ରମଣ, ମିଳିଲା ହତ୍ୟା ଧମକ
ବଲିଉଡ୍ର ଅଲ୍ ଟାଇମ୍ ହିଟ୍ ଫିଲ୍ମ ‘ମୋହବତେଁ’ରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇ ପାରିଥିଲେ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି । କିଛି ବର୍ଷ ହେବ ସେ ନିଜକୁ ଫିଲ୍ମରୁ ଦୂରେଇ ରଖିଥିବା ବେଳେ ଏବେ ତାଙ୍କ ପୁଅ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାଙ୍କ ୭ବର୍ଷର ପୁଅକୁ କିଛି ଲୋକ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରୀତି । ଏ ନେଇ ପ୍ରୀତି ଏବଂ ତାଙ୍କ ସ୍ୱାମୀ ତଥା ଅଭିନେତା ପ୍ରବୀଣ ଡ଼ାବାସ ମୁମ୍ବାଇର ଖାର୍ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ପ୍ରୀତିଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଜୟବୀର ଖାର୍ରେ ଥିବା ଶିବସ୍ଥାନ ବିଲ୍ଡ଼ିଂକୁ ଖେଳିବାକୁ ଯାଇଥିଲେ । ସେଠାରେ ଅନ୍ୟ ବିଲ୍ଡ଼ିଂର ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବା ସହ ସେମାନେ ଜୟବୀରଙ୍କୁ ମାଡ଼ ମାରିଥିଲେ । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲା। ତେବେ ଜୟବୀରଙ୍କୁ ମାଡ଼ ମାରିଥିବା ପିଲା ନିଜ ଘରକୁ ଯାଇ ଗଣ୍ଡଗୋଳ କଥା ଜଣାଇବା ପରେ ତାଙ୍କ ଘର ଲୋକ ଜୟବୀରଙ୍କୁ ରାଗିବା ସହ ହତ୍ୟା ଧମକ ଦେଇଥିଲେ । ସେଠାରେ ଥିବା ଜଣେ ମହିଳା ଘଟଣାର ସମାଧାନ କରିବାକୁ ଚାହିଁବାରୁ ଜୟବୀରଙ୍କୁ ମାଡ଼ ମାରିଥିବା ପିଲାର ଜେଜେ ବାପା ଆରିଫ୍ ସିଦ୍ଦିକୀ ତାଙ୍କୁ ଚୁପ୍ ରହିବା ପାଇଁ କହିଥିଲେ । ଏହା ସହ ମୁଁ ମହିଳାମାନଙ୍କ ସହ କଥା ହୁଏନା ବୋଲି କହି ତାଙ୍କୁ ଚୁପ୍ କରାଇ ଦେଇଥିଲେ ।
ଛୋଟ ପିଲାମାନଙ୍କ ମଧ୍ୟରେ ଏପରି ହେବା ସାଧାରଣ । କିନ୍ତୁ ଏଭଳି ଘଟଣାକୁ ନେଇ ଆରିଫ୍ ସିଦ୍ଦିକୀ କରିଥିବା ବ୍ୟବହାର ଆଦୌ ଠିକ୍ ନୁହେଁ । ଏଥିପାଇଁ ମୁଁ ଅଭିଯୋଗ କରିବା ପାଇଁ ବାଧ୍ୟ ହୋଇଛି ବୋଲି ପ୍ରୀତି ଏକ ସାକ୍ଷାତକାରରେ କହିଛନ୍ତି ।