‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ଫିରଙ୍ଗି ଗୁଗଲ୍ ମ୍ୟାପ୍ରେ ଦେଖାଇବ ରାସ୍ତା !
ମାର୍କେଟିଙ୍ଗ କରିବାରେ ବଲିଉଡ୍ ଅଭିନେତା ଆମୀର ଖାନ୍ ପ୍ରବୀଣ ବୋଲି ସମସ୍ତେ ଜାଣନ୍ତି । ନିଜ ପ୍ରଥମ ଫିଲ୍ମର ପ୍ରମୋସନ କରିବାକୁ ଯାଇ ଅଟୋ ପଛରେ ଫିଲ୍ମର ପୋଷ୍ଟର ମାରିବା ହେଉ ବା ଗଜନୀ ପାଇଁ ଲୋକମାନଙ୍କ ଗଜନୀ ଲୁକ୍ ଦେବା ହେଉ । ଆମୀର ଖାନ୍ ବିଗତ କିଛି ବର୍ଷ ମଧ୍ୟରେ ଲୋକମାନଙ୍କୁ ମାର୍କେଟିଙ୍ଗର ନୂଆ ନୂଆ ଆଇଡ଼ିଆ ଦେଇ ଆସିଛନ୍ତି । ଏବେ ସେ ନିଜର ଆଗାମୀ ବିଗ୍ବଜେଟ୍ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୋସ୍ତାନର ପ୍ରମୋସନ ପାଇଁ ଭିନ୍ନ ଉପାୟ ଆପଣାଇଥିବା ଦେଖାଯାଇଛି ।
ସୂଚନା ମୁତାବକ, ଫିଲ୍ମର ପ୍ରମୋସନ ପାଇଁ ନିର୍ମାତାମାନେ ଗୁଗଲ ମ୍ୟାପ୍ ସହ ହାତ ମିଳାଇଥିବା ଜଣା ପଡ଼ିଛି । ଏହା ପରେ ଗୁଗଲ ମ୍ୟାପ୍ରେ ଆମୀର ଖାନ୍ ଲୋକମାନଙ୍କୁ ବାଟ ଦେଖାଇବା ଆରମ୍ଭ କରିବେ । ଯଦି ଆପଣ ଗୁଗଲ ମ୍ୟାପ୍କୁ ଖୋଲିବେ ତେବେ ଆଣ୍ଡ୍ରୋଏଡ଼୍ ବା ଆଇଓଏସ୍ ସ୍ମାର୍ଟଫୋନ ବ୍ୟବହାରକାରୀ ଆମୀର ଖାନଙ୍କ ସହ ଯାତ୍ରା କରିବାର ବିକଳ୍ପ ବାଛି ପାରିବେ ।
ସବୁଠାରୁ ଖାସ୍ କଥା ହେଲା ଲୋକମାନଙ୍କୁ ରାସ୍ତା ଦେଖାଇବା ସମୟରେ ଫିଲ୍ମରେ ସେ ଯେଉଁ ଗଧ ଉପରେ ବସିଥିବାର ନଜର ଆସୁଛନ୍ତି । ସେହି ଗଧ ଉପରେ ସେ ଲୋକମାନଙ୍କୁ ବାଟ ଦେଖାଇବା ବୋଲି ଜଣାପଡ଼ିଛି । ଲୋକମାନଙ୍କ ଯାତ୍ରାକୁ ମଜାଦାର କରିବା ପାଇଁ ମଝିରେ ମଝିରେ ଫିଲ୍ମର ଡାଏଲଗ୍ ମଧ୍ୟ ଆମୀର କହୁଥିବାର ଲୋକେ ଶୁଣିପାରିବେ । ଆମୀରଙ୍କ ଏଭଳି ମାର୍କେଟିଙ୍ଗ ଟ୍ରିକକୁ ଏବେ ସମସ୍ତେ ପ୍ରଶଂସା କରିବାରେ ଲାଗିଥିବା ଦେଖାଯାଇଛି ।