ଘରେ ହିଁ ପ୍ରସ୍ତୁତ କରନ୍ତୁ ପାଓ ଭାଜି
ସାମଗ୍ରୀ-
୩୦୦ ଗ୍ରାମ୍ ସିଝା ଆଳୁ, ୪୦୦ ଗ୍ରାମ୍ ଟମାଟୋ, ୧୦୦ ଗ୍ରାମ୍ କ୍ୟାପ୍ସିକମ୍, ୨୦୦ ଗ୍ରାମ୍ ଫୁଲ କୋବି, ଅଧ କପ୍ ଗ୍ରୀନ୍ ମଟର, ୩-୪ ଚାମଚ କଟା ଧନିଆ ପତ୍ର, ୧୦୦ ଗ୍ରାମ୍ ବଟର, ୧ ଚାମଚ ବଟା ଅଦା, ୨ଟି କଟା କଞ୍ଚାଲଙ୍କା, ଅଧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ, ୨ ଚାମଚ ପାଓ ଭାଜି ମସଲା, ୧ ଚାମଚ ଲଙ୍କା ଗୁଣ୍ଡ, ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କୋବିକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ଗ୍ରୀନ୍ ମଟର ଏବଂ କୋବିକୁ ଏକ ପାତ୍ରରେ ରଖି ୧ କପ୍ ପାଣି ଦେଇ ନରମ ହେବା ପର୍ଯ୍ୟନ୍ତ ସିଝାନ୍ତୁ। ଏହା ସିଝୁଥିବା ସମୟରେ ସିଝା ଆଳୁରୁ ଚୋପା ଛଡ଼ାଇ ନିଅନ୍ତୁ। ଟମାଟୋ ଏବଂ କ୍ୟାପ୍ସିକମ୍କୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। କୋବି ଓ ମଟର ସିଝିଗଲା ପରେ ଏହାକୁ ଗ୍ୟାସ୍ରୁ ଓହ୍ଲାଇ ରଖିଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍ ଗରମ କରି ୨ ଚାମଚ ବଟର ପକାନ୍ତୁ। ବଟର ତରଳି ଗଲା ପରେ ଏଥିରେ ବଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲୁକା ଭାବେ ଭାଜନ୍ତୁ। ଆପଣ ଚାହିଁଲେ ଏଥିରେ ପିଆଜ ଧଓ ରସୁଣ ମଧ୍ୟ ବ୍ୟବହାର କରିପାରିବେ। ଏବେ ଏଥିରେ ଟମାଟୋ, କ୍ୟାପସିକମ୍, ହଳଦୀ ଗୁଣ୍ଡ ଏବଂ ଧନିଆ ଗୁଣ୍ଡ ପକାଇ ୩ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ସିଝିବାକୁ ଛାଡ଼ିଦିଅନ୍ତୁ। ତିନି ମିନିଟ୍ ପରେ ଦେଖିବେ ଏହା ହାଲୁକା ନରମ ହୋଇଯାଇଥିବ। ଏହାକୁ ମେସର ସାହାଯ୍ୟରେ ମିଶ୍ରଣ କରନ୍ତୁ।
ଏବେ ଏଥିରେ ସିଝା କୋବି ଓ ମଟର ପକାଇ ଭଲ ଭାବେ ଘୋଟନ୍ତୁ। ଏଥିରେ ସିଝା ଆଳୁ ଚକଟି ପକାନ୍ତୁ। ଏଥିରେ ଦରକାର ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ ଏବଂ ପାଓ ଭାଜି ମସଲା ପକାନ୍ତୁ। ଭାଜିକୁ ଭଲ ଭାବେ ମେସର ସହାୟତାରେ ଘୋଟନ୍ତୁ। ଯେମିତି ଏହା ଭଲ ଭାବେ ମିଶିଯିବ। ଏବେ ଏଥିରେ ଦେଢ଼ କପ୍ ପାଣି ଦେଇ ଆହୁରି ଭଲ ଭାବେ ଘୋଟନ୍ତୁ। ଏବେ ଏଥିରେ ଅଳ୍ପ କଟା ଧନିଆ ପତ୍ର ଏବଂ ୧ ଚାମଚ ବଟର ପକାନ୍ତୁ। କାରଣ ଭାଜିରେ ଯେତେ ଅଧିକ ବଟର ରହିବ ଏହାର ସ୍ବାଦ ସେତେ ବଢ଼ିଯିବ। ଏହାକୁ ଏକ ଗିନାକୁ ବାହାର କରନ୍ତୁ। ସଜାଇବା ଲାଗି ଏହା ଉପରେ ଅଳ୍ପ ବଟର ଦେଇ ଧନିଆ ପତ୍ରରେ ସଜାନ୍ତୁ।
ଏବେ ପାଓ ପାଇଁ ପାଓକୁ ନେଇ ମଝିରୁ ଫୋଲ୍ଡ କରି କାଟନ୍ତୁ। ପ୍ୟାନ୍ରେ ଅଳ୍ପ ବଟର ଦେଇ ପାଓର ଗୋଟିଏ ପଟ ସେକନ୍ତୁ। ଏହା ସେକି ହୋଇଗଲା ପରେ ଅପରପାର୍ଶ୍ବ ବି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ପାଓ ଭାଜି। ଏହାକୁ ଘରେ ତିଆରି କରି ଖାଆନ୍ତୁ ଓ ଖୁଆନ୍ତୁ।