“ସୁପର-୩୦” ଚଳଚିତ୍ରରେ ନଜର ଆସିବେ ହ୍ରିତିକ ! ଫାଷ୍ଟ-ଲୁକ ହେଲା ରିଲିଜ ।
ବଲିଉଡର ଶ୍ରେଷ୍ଠ ହ୍ୟାଣ୍ଡସମ ଅଭିନେତା ହ୍ରିତ୍ୱିକ୍ ରୋଶନ୍ଙ୍କ ଆଗାମୀ ଫିଲ୍ମ ‘ସୁପର୍ ୩୦’ର ଫାଷ୍ଟ୍-ଲୁକ୍ ରିଲିଜ୍ ହୋଇଛି। ସେଥିରେ ହ୍ୟାଣ୍ଡ୍ସମ୍ ହ୍ରିତ୍ୱିକ୍ ଦାଢ଼ି ଓ ଛୋଟ ଛୋଟ କେଶରେ ବେଶ୍ ଭିନ୍ନ ଓ ଗମ୍ଭୀର ଦେଖା ଯାଉଛନ୍ତି। ତାଙ୍କର ଏ ବେଶକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍ର ଅନେକ ପରିଚିତ ବ୍ୟକ୍ତିତ୍ୱ ମଧ୍ୟ ହ୍ରିତିକ୍ଙ୍କୁ ପ୍ରଶଂସା କରି ସୋସିଆଲ୍ ମିଡିଆରେ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଶିଳ୍ପା ସେଟ୍ଟୀ, ସଞ୍ଜୟ ଗୁପ୍ତା, ଆଲିଆ ଭଟ୍ଟ, ଟାଇଗର୍ ଶ୍ରଫ୍, ଦିଆ ମିର୍ଜା, ସୋନାକ୍ଷୀ ସିହ୍ନା, ୟାମି ଗୌତମ, ରୀତେଶ ସିଧ୍ଓ୍ଵାନୀ, ପୂଜା ହେଗ୍ଡେ, ରୋହିତ ରୟ ଓ ଭିକି କୌଶଲ ପ୍ରମୁଖ।
ମୂଳରୁ ଚଚ୍ଚାରେ ରହିଥିବା ‘ସୁପର୍ ୩୦’ ହେଉଛି ଏକ ବାୟୋପିକ୍; ବିହାରର ଜଣେ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନ କାହାଣୀ। ଆପଣ ‘ସୁପର୍ ୩୦’ ସଂପର୍କରେ ପୂର୍ବରୁ ଶୁଣିଥିବେ। ଏ ହେଉଛି ବିହାରର ପାଟନାରେ ଥିବା ବିକାଶ କୁମାରଙ୍କ କୋଚିଂ ସେଣ୍ଟର୍ର ନାଁ। ସେ ଗରିବ ପିଲାମାନଙ୍କୁ ନିଜ ଖର୍ଚ୍ଚରେ ନିଜ ପାଖରେ ରଖି ଆଇ.ଆଇ.ଟି. ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଦିଅନ୍ତି। ତାଙ୍କ କୋଚିଂ ସେଣ୍ଟର୍ର ସଫଳତାର ହାର ପାଖାପାଖି ୧୦୦। ଅର୍ଥାତ୍ ପ୍ରତିବର୍ଷ ତାଙ୍କ ପାଖରେ ପଢ଼ୁଥିବା ପ୍ରାୟ ସବୁ ଛାତ୍ର ଆଇ.ଆଇ.ଟି. ଏନ୍ଟ୍ରାନ୍ସରେ କୃତକାର୍ୟ୍ୟ ହୁଅନ୍ତି। ଅନେକ ବଡ଼ ଚାକିରି ଓ ମୋଟା ଅନୁଦାନର ପ୍ରଲୋଭନକୁ ଏଡ଼ାଇ ନିଜ ପରିବାର ଲୋକଙ୍କ ସାହାଯ୍ୟରେ ଓ ନିଜ ଖର୍ଚ୍ଚରେ ଆନନ୍ଦ କୁମାର ଏହି ମହାନ ଓ ଆଶ୍ଚର୍ୟ୍ୟ କାମଟିକୁ କରି ଚାଲିଛନ୍ତି।
ରିଲାଏନ୍ସ୍ ଏଣ୍ଟର୍ଟେନ୍ମେଣ୍ଟ୍ ଓ ସାଜିଦ୍ ନଡ଼ିଆଓ୍ଵାଲାଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିକାଶ ବହଲ୍।