ତୃତୀୟ ମହଲାରେ ବେକ ସାହାଯ୍ୟରେ ରେଲିଂରେ ଲଟକିଥିଲା କୁନି ଝିଅ, ଦୁଇ ଯୁବକ ଏଭଳି ବଂଚାଇଲେ ଜୀବନ !
କିଛିଦିନ ହେବ ସୋସିଆଲ ମିଡିଆରେ ଦୁର୍ଘଟଣାର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ଏହି ଭିଡିଓରେ ଦେଖିବାକୁ ମିଳୁଛି, ଏକ ଶିଶୁ ତୃତୀୟ ମହଲା ରେଲିଂରେ ଝୁଲି ରହିଛି। ତେବେ ଶିଶୁଟିର ବେକ୍ ରେଲିଂରେ ଫଶି ରହିଥିବା ବେଳେ ଗଣ୍ଡିଟି ତଳକୁ ଝୁଲି ରହିଥିଲା। ଏହି ଦୃଶ୍ୟ ଦେଖି ଯେକେହି ସ୍ତବ୍ଧ ହୋଇ ରହିଯିବ।
ଏଭଳି ଏକ ଘଟଣା ସାଉଥ୍ ଓ୍ଵଷ୍ଟ ଚୀନର ୟଙ୍ଗଲାଙ୍ଗ କଣ୍ଟ୍ରିରେ ଘଟିଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏହି ଶିଶୁକୁ ଏଭଳି ଅବସ୍ଥାରେ ଦେଖି ଦୁଇ ଯୁବକ କଳେବଳେ କୌଶଳେ କାନ୍ଥରେ ଚଢ଼ି ଶିଶୁଟି ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ଏବଂ ରେଲିଂରେ ଫଶି ରହିଥିବା ଶିଶୁର ଗଳାକୁ ବାହାର କରିଥିଲେ। ଏଭଳି ଅବସ୍ଥାରେ ଶିଶୁର ଅବସ୍ଥା କିପରି ଥିବ ତାହା ଭାବିବାକୁ ବି ଭୟ ଲାଗୁଛି। ଶିଶୁଟି ଜୀବତ ଅଛି। ତେବେ ଏହି ସ୍ଥାନକୁ ଶିଶୁଟି କେମିତି ପହଞ୍ଚିଲା ତାର ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ଏଠାରେ କୁହାଯାଇ ପାରିବ ‘ରଖେ ହରି ମାରେ କିଏ’।