ପିଲାଙ୍କ ଲାଳନପାଳନ ପାଇଁ ୭୦% ଭାରତୀୟ ମା’ ନେଉଛନ୍ତି ସ୍ମାର୍ଟଫୋନର ସାହାରା
ପିଲାଙ୍କ ଲାଳନପାଳନ କିପରି ହେବ ସେଥିପାଇଁ ନୂଆ ମା’ମାନେ ସେମାନଙ୍କ ମା’, ଶାଶୂ, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ପରାମର୍ଶ ନେଇଥାନ୍ତି । ହେଲେ ଏବେ ଟେକ୍ନେଲୋଜିର ଏହି ଯୁଗରେ ମା’ମାନେ ସ୍ମାର୍ଟ ଫୋନ୍ର ସହଯୋଗରେ ପିଲାଙ୍କୁ କିପରି ଲାଲନପାଳନ କରିହେବ ତାହାର ପରାମର୍ଶ ନେଉଛନ୍ତି ।
ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି ଯେ, ନିଜ ପିଲାଙ୍କୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଭାରତର ପାଖାପାଖି ୭୦% ମା’ମାନେ ସ୍ମାର୍ଟ ଫୋନ୍ର ବ୍ୟବହାର କରୁଛନ୍ତି । ଭାରତର ୧୦ ରୁ ୮ଜଣ ମା’ ଏହା ସ୍ୱୀକାର କରିଛନ୍ତି ଯେ, ଟେକ୍ନୋଲୋଜି ସେମାନଙ୍କର ପ୍ୟାରେଣ୍ଟିଂକୁ ଅତି ସହଜ ଓ ସରଳ କରିଦେଇଛି । ୩୮% ଲୋକ ଏପରି ଅଛନ୍ତି ଯେଉଁମାନେ ସେମାନଙ୍କ ପରିବାର ଓ ବନ୍ଧୁମାନଙ୍କୁ ସ୍ମାର୍ଟ ଫୋନ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ଇଣ୍ଟରନେଟ୍ ବେସଡ୍ ମାର୍କେଟ ରିସର୍ଚ୍ଚ ଆଣ୍ଡ ଡାଟା ଆନାଲିଟିକ୍ସ ଫାର୍ମ ୟୁଗୋଭ ଏକ ସର୍ଭେ କରିଥିଲା । ଏଥିରେ ୭୦% ମା’ ସ୍ମାର୍ଟ ଫୋନ୍ର ଉପଯୋଗିତାକୁ ସ୍ୱୀକାର କରିଥିଲେ ।
ତେବେ ଏହି ସର୍ଭେରେ ମଧ୍ୟ ଏହି ବିଷୟ ପଦାକୁ ଆସିଛି ଯେ, ପିଲାଙ୍କ ଲାଳନପାଳନ ସମ୍ପର୍କୀତ ପ୍ରସ୍ତାବ କ୍ଷେତ୍ରରେ ଭାରତରେ ଏବେ ବି ମା’ମାନେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଉପରେ ଅଧିକ ଭରସା କରୁଛନ୍ତି । ୫୦% ଯୁବ ଏବଂ ନୂଆ ମାଆ ମାନେ ଏ ସମ୍ପର୍କରେ ଅନ୍ଲାଇନ୍ ବ୍ଲଗ୍ ଏବଂ ଆପ୍ ମାଧ୍ୟମରେ ସୂଚନା ଏକତ୍ରିତ କରିଥାନ୍ତି । ସର୍ଭେରେ ୧୨ ମାସରୁ ୧୮ବର୍ଷ ବୟସର ପିଲାମାନଙ୍କର ମା’ମାନଙ୍କୁ ନେଇ ଏକ ସାକ୍ଷାତକାର କରାଯାଇଥିଲା । ୧୨ ମାସରୁ କମ୍ ବୟସର ଶିଶୁ ଏବଂ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କର ମା’ଙ୍କୁ ୟଙ୍ଗ ମଦର କାଟାଗୋରିରେ ରଖାଯାଇଥିଲା ।
ଏହି କାଟାଗୋରିରେ ଥିବା ୭୦୦ ମା’ଙ୍କୁ ନେଇ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା ସେଥିରୁ ଜଣାପଡିଛି ଯେ, ସ୍ମାର୍ଟ ଫୋନ୍ ସେମାନଙ୍କ ଜୀବନଧାରାକୁ ଆହୁରି ସରଳ ଏବଂ ସହଜ କରିଛି । ତେବେ ପିଲାଙ୍କୁ କିପରି ଏହି ସ୍ମାର୍ଟ ଫୋନର ମାୟାଜାଲରୁ ଦୂରେଇ ରଖିହେବ ତାହା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମା’ମାନେ କହିଛନ୍ତି