ବିବାହର ୧୫ ଦିନ ପରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର ହେଲେ ଯୁବତୀ
ମଧ୍ୟପ୍ରଦେଶରେ ଜଣେ ମହିଳା ବିବାହର ୧୫ଦିନ ପରେ ସାତ୍ଫେରା କରାଇଥିବା ବ୍ରାହ୍ମଣଙ୍କ ସହ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଘରର ବୋହୂ ଏଭଳି ହଠାତ୍ ଫେରାର ହେବାର କାରଣ ଜାଣି ଶାଶୁଘର ଲୋକେ ହତବାକ ହୋଇ ଯାଇଛନ୍ତି ।
ସୂଚନା ମୁତାବକ, ମେ’ ୭ରେ ୨୧ବର୍ଷୀୟ ଯୁବତୀଙ୍କ ବିବାହ ବାସୌଦାର ଆସଠ ଗାଁରେ ରହୁଥିବା ଯୁବକଙ୍କ ସହ ହୋଇଥିଲା । ଆସଠ ଗାଁରେ ରହୁଥିବା ବ୍ରାହ୍ମଣ ବିନୋଦ ମହାରାଜ ଯୁବକ-ଯୁବତୀଙ୍କ ବିବାହ କରାଇଥିଲେ । ବିବାହ ପରେ ଶାଶୁଘରେ କଳହ ହେବାରୁ ୩ଦିନ ପରେ ନିଜ ବାପ ଘରକୁ ଫେରି ଆସିଥିଲେ ଯୁବତୀ । ମେ’୨୩ରେ ଯୁବତୀଙ୍କ ପରିବାର ଅନ୍ୟ ଏକ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ବ୍ରାହ୍ମଣ ବିନୋଦ ମହାରାଜଙ୍କ ସହ ଘରୁ ଫେରାର ହୋଇ ଯାଇଥିଲେ ।
ଯୁବତୀଙ୍କ ମାତା-ପିତା ଯେଉଁ ବିବାହରେ ଯୋଗ ଦେବାକୁ ଯାଇଥିଲେ ସେଠାକୁ ମଧ୍ୟ ବ୍ରାହ୍ମଣ ବିନୋଦ ମହାରାଜଙ୍କୁ ବିବାହ କରାଇବା ପାଇଁ ଡ଼କା ଯାଇଥିଲା । କିନ୍ତୁ ବିବାହର ରୀତିନୀତି ଆରମ୍ଭ ହେବା ପୂର୍ବରୁ ବ୍ରାହ୍ମଣ ବିନୋଦ ମହାରାଜ ସେଠାରୁ ଚାଲି ଆସିବା ସହ ଯୁବତୀଙ୍କୁ ଧରି ଫେରାର ହୋଇ ଯାଇଥିଲେ । ତେବେ ଏ ନେଇ ପୁଲିସରେ ଖବର ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଦୁହେଁ ଗତ ୨ବର୍ଷ ହେଲା ପ୍ରେମ ସଂପର୍କରେ ରହିଥିଲେ ବୋଲି ଜଣା ପଡ଼ିଥିଲା ।