୩୧ ମିଲିଅନ ଏବଂ ଦୁଇ ସନ୍ତାନକୁ ନେଇ ଦୁବାଇ ପ୍ରଧାନମନ୍ତ୍ରୀଙ୍କ ୬ଷ୍ଠ ପତ୍ନୀ ଫେରାର !
ୟୁଏଇର ପ୍ରଧାନମନ୍ତ୍ରୀ ତଥା ଉପାଧ୍ୟକ୍ଷ ସେଖ୍ ମୁହମ୍ମଦ ବିନ୍ ରସିଦ ଉଲ୍ ମକତୁମ୍ଙ୍କ ୬ଷ୍ଠ ପତ୍ନୀ ହୟା ବିଣ୍ଟ ଅଲ ହୁସୈନ ନିଜର ଦୁଇ ସନ୍ତାନ ଏବଂ ୩୧ ମିଲିଅନ ନେଇ ଏବେ ଫେରାର ହୋଇଯାଇଛନ୍ତି । ସେ ଦେଶ ବାହାରକୁ ଚାଲିଯାଇଥିବା କୁହାଯାଉଛି । ଦୁବାଇର ଏହି ଧନୀକ ଶାସକ ଏବେ ପତ୍ନୀଙ୍କୁ ଖୋଜିବା ପାଇଁ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
ହୟାଙ୍କ ସହ ମକତୁମଙ୍କ ସମ୍ପର୍କ ଠିକ୍ ନଥିଲା । ଖବର ଅନୁସାରେ ରାଣୀ ହୟା ଲଣ୍ଡନରେ ଅଛନ୍ତି । ଜୋର୍ଡାନର ରାଜା ଅବଦୁଲାଙ୍କ ଭଉଣୀ ହୟା, ମକତୁମଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ । ପୂର୍ବରୁ ସେ ଜର୍ମାନୀରେ ରାଜନୈତିକ ଶରଣ ନେବ ପାଇଁ ଉଦ୍ୟମ କରିଥିଲେ । ହୟାଙ୍କ ସହ ତାଙ୍କ ଦୁଇ ସନ୍ତାନ ଜାଲିଆ ଏବଂ ଜାୟଦ ଅଛନ୍ତି ।
ନୂଆ ଜୀବନ ଆରମ୍ଭ କରିବା ପାଇଁ ସାଥିରେ ଏତେ ବଡ଼ ପରିମାଣର ଅର୍ଥ ନେଇଥିବା କୁହାଯାଉଛି । ହୟା ଅକ୍ସଫୋର୍ଡରେ ପାଠ ପଢିଥିଲା ବେଳେ ପଶ୍ଚିମ ଦେଶ ସହ ତାଙ୍କର ସମ୍ପର୍କ ବେଶ ଭଲ ରହିଛି । ବର୍ତ୍ତମାନ ଦୁବାଇ ଶାସକ, ହୟା କିପରି ଦେଶ ଛାଡିଲେ ଏବଂ ତାଙ୍କୁ ଏଥିରେ କିଏ ସହଯୋଗ କଲା ତାହାର ଯାଞ୍ଚ ଆରମ୍ଭ କରିଛନ୍ତି । କୁହାଯାଉଛି ଯେ, ଜର୍ମାନୀର ଜଣେ ବରିଷ୍ଠ ଅଧିକାରୀ ହୟାଙ୍କୁ ଦେଶ ଛାଡିବାରେ ସହଯୋଗ କରିଥିଲେ । ଏହି କାରଣରୁ ଏବେ ଜର୍ମାନୀ ଏବଂ ୟୁଏଇ ମଧ୍ୟରେ କୂଟନୈତିକ ସଂକଟ ଆରମ୍ଭ ହୋଇଯାଇଛି ।