‘ଛୋଟ ବାଘ’ଙ୍କୁ ଖିର ପିଆଉଛନ୍ତି ଏହି ବଲିଉଡ ନାୟିକା
ଏବେ ଥାଇଲାଣ୍ଡ୍ରେ ଅଛନ୍ତି ଡେଜି ଶାହ। ସେଠାରେ ରେମୋ ଡିସୁଜାଙ୍କ ନିର୍ଦେଶନାରେ ‘ରେସ୍ ୩’ର ସୁଟିଂ ଚାଲିଛି। ଫିଲ୍ମରେ ଡେଜିଙ୍କ ନାୟକ ‘ବଡ଼ ବାଘ’! କ’ଣ ଡରିଗଲେ କି? ଆମେ ସଲମାନ ଖାନଙ୍କ କଥା କହୁଛୁ, ଯିଏ ନିଜକୁ ‘ଟାଇଗର୍’ ବୋଲାଇବାକୁ ସୁଖ ପାଆନ୍ତି। ତେବେ, ଡେଜିଙ୍କ ଅବସର ସମୟ କଟୁଛି ‘ଛୋଟ ବାଘ’ଙ୍କ ଗହଣରେ। ‘ଛୋଟ ବାଘ’ ପୁଣି କେଉଁମାନେ? ଥାଇଲାଣ୍ଡ୍ର ବିଭିନ୍ନ ଚିଡ଼ିଆଖାନାରେ ବନ୍ଦ ଥିବା ବାଘ-ବାଘୁଣୀଙ୍କ ଶାବକଗଣ।
ସେହି ଦେଶରେ ଏ ଭଳି ବାଘ ଛୁଆଙ୍କୁ ବୋତଲରେ ଖିର ପିଆଇବାର ବ୍ୟବସ୍ଥା ଅଛି। କିଛି ପ୍ରଣାମି ଦେଲେ, ଏହି ସୁବିଧା ମଣିଷଙ୍କୁ ମିଳେ। ଆଉ ମନୋରଂଜନ ପାଇଁ ଡେଜି ‘ଛୋଟ ବାଘ’ଙ୍କୁ ଖିର ପିଆଉଛନ୍ତି। ଏହା ‘ବଡ଼ ବାଘ’ଙ୍କ ମନରେ କେଉଁ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କରୁଥିବ, ଅଜଣା। ଡେଜିଙ୍କ ଏ ଭଳି ନିରୀହ ଗେଲ-ଗମାତର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ, ବେକାରଙ୍କୁ ଆକର୍ଷିତ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଆକ୍ସନ୍ ଫିଲ୍ମ ‘ରେସ୍ ୩’ରେ ଏହି ଯୋଡ଼ିଙ୍କ ସହ ଅଭିନୟ କରୁଛନ୍ତି ଅନିଲ କପୂର, ବବି ଦେଓଲ, ଜାକେଲିନ୍ ଫର୍ନାଣ୍ଡିଜ୍ ଓ ସାକିବ ସଲୀମ।