ଦଶହରା ୨୦୧୯ :ଦଶମୀରେ ଚଣ୍ଡିଗଡରେ ଜଳିବ ଦେଶର ସବୁଠାରୁ ବଡ ରାବଣ, ୨୨୧ ଫୁଟର ଲଙ୍କା ପତିଙ୍କୁ ଠିଆ କରିବା ପାଇଁ ଲାଗିଲା ୧୨ ଘଣ୍ଟା
ନଅ ଦିନ ଆଦିଶକ୍ତି ମା’ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରିବା ପରେ ବିଜୟା ଦଶମୀ ଦିନ ରାବଣ ପୋଡିର ଆୟୋଜନ କରାଯାଇଥାଏ । ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଦେଖିବାକୁ ମିଳିଥାଏ । ରାବଣ ପୋଡି ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲେ ମଧ୍ୟ ଚଳିତ ବର୍ଷ ଚଣ୍ଡିଗଡରେ ରାବଣ ପୋଡି ଉତ୍ସବ ଦେଖିବା ମଜାଦାର ରହିବ । କାରଣ ଚଳିତ ବର୍ଷ ଦେଶର ସବୁଠାରୁ ବଡ ରାବଣ ଚଣ୍ଡିଗଡରେ ହିଁ ଦେଖିବାକୁ ମିଳିବ ।
ଦେଶର ସବୁଠାରୁ ବଡ ରାବଣର ଉଚ୍ଚତା ପାଖାପାଖା ୨୨୧ ଫୁଟ । ରାବଣକୁ ଠିଆ କରିବା ପାଇଁ ଖୁବ ପରିଶ୍ରମ କରିବାକୁ ପଡିଥିଲା । କୁହାଯାଉଛି କି ରାବଣ ପୁତଳାକୁ ଠିଆ କରିବା ପାଇଁ ପାଖାପାଖି ୧୨ ଘଣ୍ଟାର ସମୟ ଲାଗିଥିଲା । ରାବଣର ପୁତଳାକୁ ଠିଆ କରିବା ପାଇଁ ଦୁଇଟି କ୍ରେନ, ଦୁଇଟି ଜେସିବି ମେସିନ ଏବଂ ୧୫୦ ଲୋକ ଲାଗିଥିଲେ । ଦେଶର ସବୁଠାରୁ ବଡ ରାବଣକୁ ନିର୍ମାଣ କରିଛନ୍ତି ତଜିନ୍ଦର ସିଂ ଚୌହାନ ।
ତଜିନ୍ଦର ସିଂ ଚୌହାନଙ୍କ କହିବା ଅନୁସାରେ ବିଜୟା ଦଶମୀ ଦିନ ଯଦି ବର୍ଷା ହୁଏ ତେବେ ମଧ୍ୟ ବିଜୟା ଦଶମୀ ଦିନ ରାବଣ ପୋଡି କାର୍ଯ୍ୟକ୍ରମ ବନ୍ଦ ହେବ ନାହିଁ । ରାବଣକୁ ପ୍ରସ୍ତୁତ କରିବା ପାଇଁ ୩ ହଜାର ମିଟର କପଡା ଏବଂ ଅଢେଇ ହଜାର ମିଟର ଝୋଟର ମ୍ୟାଟର ବ୍ୟବହାର କରାଯାଇଛି । ବର୍ଷା ହେଲେ ବି ପାଣି ରାବଣ ଭିତରେ ପସିବ ନାହିଁ ଏବଂ ଏହା ଭଲଭାବେ ଜଳିପାରିବ ।
ରାବଣକୁ ନିର୍ମାଣ କରିବା ପାଇଁ ପାଖାପାଖି ୩ ଲକ୍ଷ ଟଙ୍କା ଲାଗିଛି । ରାବଣର ଉଚ୍ଚତା ୨୨୧ ଫୁଟ ହୋଇଥିବା ବେଳେ ନିଶ ଲମ୍ବା ୨୫ ଫୁଟ, ଜୋତା ୪୦ ଫୁଟ, ମୁକୁଟ ୬୦ ଫୁଟ ଏବଂ ଖଣ୍ଡା ୫୫ ଫୁଟ । ରାବଣକୁ ନିର୍ମାଣ କରିବା ପାଇଁ ୬ ମାସର ସମୟ ଲାଗିଛି ଏବଂ ପାଖାପାଖି ୪୦ ଲୋକେ ଏହାକୁ ପ୍ରସ୍ତୁତ କରିଛନ୍ତି ।
ରିମୋଟ ଜରିଆରେ ଏହି ବଡ ରାବଣର ଦହନ କରାଯିବ । ୨୦ଟି ଫଙ୍କସନ ଦ୍ୱାରା ପୂରା ରାବଣକୁ ଜଳାଜିବ । ସବୁଠାରୁ ବଡ କଥା ହେଉଛି ରାବଣ ପୁତଳାରେ ବ୍ୟବହାର କରାଯାଇଥିବା ବାଣ ଇକୋ ଫ୍ରେଣ୍ଡଲୀ ଏବଂ ଏହା ଦ୍ୱାରା ପ୍ରଦୂଷଣର ଆଶଙ୍କା କମ୍ ରହିବ ।