ଆଜି ଠାରୁ ଆରମ୍ଭ ହେଲା ଧର୍ମ ମାସ କାର୍ତ୍ତିକ, ଜାଣନ୍ତୁ ଏହି ମାସର ମହତ୍ୱ
ଆଜିଠାରୁ ଆରମ୍ଭ ହେଉଛି କାର୍ତିକ ବ୍ରତ । ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ । ଏଥିପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀ ଶ୍ରୀ କ୍ଷେତ୍ରରେ ଭିଡ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସ ସମ୍ପର୍କରେ କିଛି
ପଦ୍ମପୁରାଣ, ସ୍କନ୍ଦପୁରାଣ ଏବଂ ଅନ୍ୟପୁରାଣମାନଙ୍କରେ କାର୍ତ୍ତିକ ମାସର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି। ଧର୍ମମାସର ଭାବନା ନେଇ ଲୋକମାନେ ସୂେର୍ଯ୍ୟାଦୟ ପୂର୍ବରୁ ସ୍ନାନଶୌଚ ଶେଷ କରି ମନ୍ଦିର ଯାଆନ୍ତି। କାର୍ତ୍ତିକମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ରହିଛି। ଏହା ପଛରେ ବୈଜ୍ଞାନିକ କାରଣ ଅଛି। ଉପବାସ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଉପବାସ କରୁଥିବା ସାଧକ ପ୍ରତିଦିନ ଦୀପଦାନ କରନ୍ତି। ତୁଳସୀ ସେବା ସହ ତୁଳସୀ ଗଛର ଯତ୍ନ ନେବା ଉଚିତ୍। ଆୟୁର୍ବେଦୀୟ ଶାସ୍ତ୍ରରେ ତୁଳସୀକୁ ଆଣ୍ଟିବାୟୋଟିକ୍ କୁହାଯାଏ। ଏହା ଦ୍ୱାରା ଶରୀର ଶୁଦ୍ଧ ହୁଏ। ତୁଳସୀ ସେବନ ଦ୍ୱାରା ବ୍ୟକ୍ତି ରୋଗମୁକ୍ତ ହୋଇଥାଆନ୍ତି। ଅପର ପକ୍ଷରେ ଭଗବାନ ବିଷ୍ଣୁ ତୁଳସୀ ପତ୍ର ପାଇଲେ ଆନନ୍ଦିତ ହୁଅନ୍ତି।
ଶାସ୍ତ୍ରରେ ବର୍ଣ୍ଣନା ଅଛି ଭୂମିକୁ ଶଯ୍ୟା କରିବା। କାର୍ତ୍ତିକ ବ୍ରତ କରିଥିବା ଲୋକେ ଭୂମି ଉପରେ ଶୟନ କରିବା ଉଚିତ୍। ଆମ ଶରୀର ପଞ୍ଚଭୂତରେ ଗଢ଼ା। ତହିଁରୁ ମାଟି ଅନ୍ୟତମ। ମାଟି ଦ୍ୱାରା ଅନେକ ରୋଗର ଉପଶମ ହୋଇପାରେ ବୋଲି ଚିକିତ୍ସା ବିଜ୍ଞାନରୁ ଜଣାଯାଇଛି। ତେଣୁ ମାଟିରେ କାରବାର କରିବା ବା ମାଟି ଚଟାଣରେ ଶୋଇବା ଦ୍ୱାରା ଶରୀର ଉପରେ ସୁପ୍ରଭାବ ପଡ଼େ।
କାର୍ତ୍ତିକରେ ବ୍ରହ୍ମଚର୍ଯ୍ୟ ସହ ନିରାମିଷ ଭୋଜନ କରିବା ଆବଶ୍ୟକ। ମୁଗ, ଚଣା, ସୋଲା, ମଟର ଆଦି ଦୁଇଫାଳଯୁକ୍ତ ଫଳ ଖାଇବା ଲାଗି ଶାସ୍ତ୍ରରେ ବାରଣ ରହିଛି। ତେଲ ଆଦି ପରିତ୍ୟାଗ କରି ଗୋରସ ଏବଂ ଗୋରସ ପ୍ରସ୍ତୁତ ସାମଗ୍ରୀ ଗ୍ରହଣ କରିବାର ବିଧି ଅଛି। କାର୍ତ୍ତିକରେ ପିପ୍ପଳ, ତୁଳସୀ, ଅଁଳା, ଗୋପୂଜା ଏବଂ ଗୋବର୍ଦ୍ଧନ ପୂଜନ କରାଯିବା ଉଚିତ୍। କାର୍ତ୍ତିକ ମାସରେ କାଶୀ ନିକଟସ୍ଥ ଗଙ୍ଗାକୂଳରେ ବାସ କରିବାର ମହତ୍ତ୍ୱ ସ୍ୱତନ୍ତ୍ର। ସ୍କନ୍ଦ ପୁରାଣରେ ଉଲ୍ଳେଖ ଅଛି ଯେ ବ୍ରତୀମାନେ ଗଙ୍ଗା, ବିଷ୍ଣୁ, ଶିବ ତଥା ସୂର୍ଯ୍ୟଙ୍କୁ ସ୍ମରଣ କରି ଜଳ ଆଞ୍ଜୁଳି ଦେବା ଉଚିତ୍। ଏହି ସମୟରେ ତୁଳସୀ ମାଳି, ଅଁଳା ମାଳି ବା ଚଉରାମୂଳର ମାଟିକୁ କଣ୍ଠରେ ଧାରଣ କରିବା ଉଚିତ୍। ବ୍ରତ ସମାପ୍ତି ପରେ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ।