ନିର୍ଦ୍ଦେଶନା ଦେବେ କର୍କଟ ରୋଗରୁ ଫେରିଥିବା ଆୟୁଷ୍ମାନଙ୍କ ପତ୍ନୀ ତାହିରା କଶ୍ୟପ
ଲେଖିକା, ପ୍ରଫେସର ଓ ରଙ୍ଗମଞ୍ଚର କଳାକାର ତାହିରା କଶ୍ୟପଙ୍କ ସିନେମା ପ୍ରତି କେତେ ଭଲପାଇବା ରହିଛି, ତାହା ସମସ୍ତଙ୍କୁ ଜଣା। ଗତବର୍ଷ ସେ କ୍ଷୁଦ୍ର ଚଳଚ୍ଚିତ୍ର ‘ଟଫି’ର ନିର୍ଦ୍ଦେଶନା ଦେଇଥିବା ବେଳେ ନିଜ ଦିଅର ଅପାରଶକ୍ତି ଖୁରାନାଙ୍କ ମ୍ୟୁଜିକ୍ ଭିଡିଓ ‘କୁଡିଏ ନି’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏବେ ସେ ପୁଣି ଥରେ ନିର୍ଦ୍ଦେଶକ ଭାବେ ଫେରୁଥିବା ଜଣାପଡ଼ିଛି। କ୍ଷୁଦ୍ର ଚଳଚ୍ଚିତ୍ର ‘ପିନ୍ନୀ’ରେ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏହି ଫିଲ୍ମର ସୁଟିଂ ଶେଷ ହୋଇ ସାରିଛି। ଏହି କ୍ଷୁଦ୍ର ଫିଲ୍ମରେ ମୁଖ୍ୟ ଭୂମିକାରେ ଆସି ଦର୍ଶକଙ୍କ ମନୋରଞ୍ଜନ କରିବେ ନୀନା ଗୁପ୍ତା।
ସୂଚନା ମୁତାବକ, କିଛି ମାସ ତଳେ ନିଜର କର୍କଟ ରୋଗକୁ ନେଇ ଚର୍ଚ୍ଚାକୁ ଆସିଥିଲେ ତାହିରା। ନିଜ ରୋଗକୁ ସେ ଯେଉଁଭଳି ଭାବରେ ସାମ୍ନା କରିଥିଲେ, ତାହା ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲା। ସୁସ୍ଥ ହୋଇ ଫେରିବା ପରେ ସେ ନିଜର କାହାଣୀ ସମସ୍ତଙ୍କ ସହ ସେୟାର କରିଥିଲେ। ସୋସିଆଲ ମିଡିଆ ଓ ବିଭିନ୍ନ ଟକ୍ ସୋ’କୁ ଯାଇ କର୍କଟ ରୋଗ ସହ କରିଥିବା ସଂଘର୍ଷର କାହାଣୀ ଜଣାଇଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ କାମକୁ ଫେରିଥିବା ଜଣା ପଡ଼ିଛି।