Only for Entertainment

ଖିଲାଡିଙ୍କ ‘ପ୍ୟାଡମ୍ୟାନ ଚ୍ୟାଲେଞ୍ଜ’

DNA India
0 50

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ’ ଫେବୃୟାରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ପ୍ରଚାର ଜୋରସୋରରେ ଚଲାଇଛନ୍ତି ଖିଲାଡି କୁମାର । ଏହାସହ ମହିଳାଙ୍କ ସ୍ୱଚ୍ଛତା ନେଇ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ପ୍ରସାର କରିବାରେ ଲାଗିଛନ୍ତି ସେ । ତେବେ ଏହି ଫିଲ୍ମ ପ୍ରଚାର ଏବଂ ବାର୍ତ୍ତା ପ୍ରସାର ଲାଗି ଏକ ଭିନ୍ନ ପଦକ୍ଷେପ ଅବଲମ୍ବନ କରିଛନ୍ତି ଅକ୍ଷୟ । ସେଲିବ୍ରିଟିମାନଙ୍କୁ ‘ପ୍ୟାଡମ୍ୟାନ ଚ୍ୟାଲେଞ୍ଜ’ ଦେଇ ଚାଲିଛନ୍ତି ଅକ୍ଷୟ । ସେ ଯାହାକୁ ଏହି ଚ୍ୟାଲେଞ୍ଜ ଦେବେ ସମ୍ପୃକ୍ତ ସେଲିବ୍ରିଟି ଜଣକ ହାତରେ ସାନିଟାରି ପ୍ୟାଡ ଧରି ମିଡିଆରେ ଫଟୋ ଅପଲୋଡ କରିବ । ସହୃଦୟତାର ସହ ସେଲିବ୍ରିଟିମାନେ ତାଙ୍କର ଏହି ଚ୍ୟାଲେଂଜକୁ ଗ୍ରହଣ କରି ଚାଲିଛନ୍ତି ।

ଅକ୍ଷୟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ‘ପଦ୍ମାବତ’ ଅଭିନେତ୍ରୀ ଦୀପିକା ପାଦୁକୋନ ସଦ୍ୟ ଭାବେ ହାତରେ ପ୍ୟାଡ ଧରି ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଏଭଳି ଏକ ଚ୍ୟାଲେଂଜ ଲାଗି ତାଙ୍କୁ ଚୟନ କରିଥିବା ପାଇଁ ଦୀପିକା ଅକ୍ଷୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସଚେତନତା ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ହାତରେ ପ୍ୟାଡ ଧରି ଏଭଳି ଫଟୋ ଉଠାଇବା ବନ୍ଧୁମାନଙ୍କୁ ଟ୍ୟାଗ କରିବା ଲାଗି ମଧ୍ୟ ଦୀପିକା ପ୍ରଶଂସକଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଭିଡିଓ ସହ ସେ ବ୍ୟାଡମିଣ୍ଟନ ଚାମ୍ପିୟନ ତଥା ଅଲମ୍ପିକ୍ସ ମେଡାଲ ବିଜେତା ପି.ଭି. ସିନ୍ଧୁଙ୍କୁ ଦୀପିକା ‘ପ୍ୟାଡମ୍ୟାନ ଚ୍ୟାଲେଞ୍ଜ’ ଦେଇଛନ୍ତି । ଏହାପୂର୍ବରୁ ଅକ୍ଷୟଙ୍କ ‘ପ୍ୟାଡମ୍ୟାନ ଚ୍ୟାଲେଞ୍ଜ’କୁ ଅମିର ଖାନ, ଟ୍ୱିଙ୍କଲ ଖାନ୍ନା, ଅଦିତି ରାଓ ହାଇଦରି, ଶବାନା ଆଜମୀ ମଧ୍ୟ ଗ୍ରହଣ କରି ସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳାଙ୍କ ଋତୁସ୍ରାବ ଏବଂ ଏହି ସମୟର ସ୍ୱଚ୍ଛତା ବିଷୟ ପ୍ରତି ଭାରତରେ ବିଚିତ୍ର ଦୃଷ୍ଟିକୋଣ ରହିଥିବାରୁ ଏହାକୁ ଦୂର କରିବା ଲାଗି ଅକ୍ଷୟ ଏଭଳି କରିଥିବା ଜଣାପଡିଛି । ଏହାକୁ ଅତି ଗୋପନୀୟ ବିଷୟ ଧରାଯିବା ସହ ଋତୁସ୍ରାବ ବିଷୟରେ ଆଲୋଚନା କରିବାକୁ ମଧ୍ୟ ଲୋକ କୁଣ୍ଠାବୋଧ କରିଥାନ୍ତି । ‘ପ୍ୟାଡମ୍ୟାନ’ ହେଉଛି ଏସବୁ ବିଷୟ ବିରୋଧୀ ଏକ ନୂଆ ଚିନ୍ତାଧାରା ବିଶିଷ୍ଟ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More