ଅନୁ ମଲ୍ଲିକଙ୍କୁ ବାହାରର ରାସ୍ତା ଦେଖାଇବ ଇଣ୍ଡିଆନ ଆଇଡଲ! ଯୌନ ଶୋଷଣ ଅଭିଯୋଗ ପରେ…
ଗତବର୍ଷ ଗାୟକ ଅନୁ ମଲିକଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ଗାୟିକା ସୋନା ମହାପାତ୍ର । ଯାହାପରେ ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ ଆଇଡଲରୁ ବିଦାୟ କରାଯାଇଥିଲା । ତେବେ ପୁଣିଥରେ ସୋନା ମହାପାତ୍ର ଅନୁ ମଲ୍ଲିକଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ତେବେ ଏହି ବର୍ଷ ମଧ୍ୟ ସେହି ରିଆଲିଟି ଶୋ’ରେ ବିଚାରକ ଭାବରେ ନଜର ଆସିଛନ୍ତି ଅନୁ । ଖବର ଅନୁସାରେ ଅନୁ ପୁଣିଥରେ ଏହି ବର୍ଷ ଶୋ’ରୁ ବିଦାୟ ହୋଇ ପାରନ୍ତି । କିଛି ଦିନ ତଳେ ସୋନା ଏକ ଟ୍ୱିଟ୍ କରି ଅନୁଙ୍କୁ ‘ଯୌନ ପିପାସୁ’ ବୋଲି କହିଥିଲେ। ତା’ସହିତ ଆଉ ଏକ ନିର୍ଭୟା ଘଟଣା ପରେ ଭାରତ ଜାଗି ଉଠିବ କି ବୋଲି ପ୍ରଶ୍ନ କରିଥିଲେ। ଅନୁଙ୍କ ପାଇଁ ସେ ବ୍ୟବହାର କରିଥିବା ‘ଯୌନ ପିପାସୁ’ ଶବ୍ଦକୁ ସମର୍ଥନ କରି ଅନ୍ୟତମ ଗାୟିକା ନେହା ଭାସିନ ଏକ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ, “ଥରେ ମୁଁ ଅନୁଙ୍କୁ ଦେଖି ଦୌଡ଼ି ପଳାଇଥିଲି। କାରଣ ସେ ଭାରି ଅଜବ ଆଚରଣ କରିଥିଲେ। ସେତେବେଳେ ମୋତେ ୨୧ ବର୍ଷ ହୋଇଥିଲା। ଏକ ଷ୍ଟୁଡିଓରେ ଅନୁ ମୋ ସମ୍ମୁଖରେ ଏକ ସୋଫାରେ ଶୋଇଥିଲେ ଓ ମୋ ଆଖିକୁ ନେଇ କିଛି କହୁଥିଲେ। ତାଙ୍କ ଆଚରଣ ମୋତେ ଅଜବ ଲାଗିଲା। ମୁଁ ନିଜକୁ କୌଣସି ଅପ୍ରୀତିକର ପରିସ୍ଥିତିରେ ପକାଇବାକୁ ଚାହୁଁ ନଥିଲି। ତେଣୁ ସେଠାରୁ ଦୌଡ଼ି ପଳାଇ ଆସିଥିଲି। ଅନୁ ତାଙ୍କଠାରୁ ବୟସରେ ବଡ଼। ସେ ଏମିତି ବ୍ୟବହାର କରିବା ଠିକ୍ ନଥିଲା। ଏହା ତାଙ୍କର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି।”
ସେହିପରି ଏକ ଟ୍ୱିଟ୍ କରି ଯେତେବେଳେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ‘ଇଣ୍ଡିଆନ୍ ଆଇଡଲ୍’ର କିଛି ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିଥିଲେ, ସେତେବେଳେ ସୋନା ତାଙ୍କ ଉପରେ ରାଗି ଯାଇଥିଲେ। ତାଙ୍କ ରାଗିବାର କାରଣ ସଚିନ୍ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ନେଇ କିଛି କହି ନଥିଲେ। ଅନୁଙ୍କ କାଣ୍ଡ ବିଷୟରେ ସଚିନ୍ ଅବଗତ ଅଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।ସୂଚନାଯୋଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ। ଅବଶ୍ୟ କିଛି ବର୍ଷ ପରେ ଏ ମାମଲାର ଆପୋଷ ସମାଧାନ ହୋଇଯାଇଥିଲା। ସେହିପରି ‘ମି ଟୁ’ ଅଭିଯାନ ବେଳେ ସୋନାଙ୍କ ସହିତ ଶ୍ୱେତା ପଣ୍ଡିତ୍ ସମେତ ଆଉ କିଛି ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।