Only for Entertainment

କେନ୍ଦ୍ରାପଡ଼ାରେ ଫିଲ୍ମି ଲଢେଇ : ବୈଜୟନ୍ତଙ୍କ ପ୍ରଯୋଜନା ସଂସ୍ଥାର ୪ ସିନେମାର ନାୟକ ଅନୁଭବ ଏବେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ

85

ଭାରତୀୟ ଜନତା ପାର୍ଟି ପ୍ରଥମେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜୁ ଜନତା ଦଳ କାହାକୁ ସେହି ଆସନରୁ ପ୍ରାର୍ଥୀ କରିବ ତାହା ଉପରେ ଥିଲା ସମସ୍ତଙ୍କ ନଜର। ଗତକାଲି ବିଜେଡ଼ି ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅବଶ୍ୟ ଏଯାବତ୍‌ କଂଗ୍ରେସ ତାର କେନ୍ଦ୍ରପଡ଼ା ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

ଏଥର କେନ୍ଦ୍ରାପଡ଼ାରେ ଏକ ରୋଚକ ଫିଲ୍ମି ଲଢେଇ ଦେଖିବାକୁ ମିଳିବ। ଏଥରର ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ସିନେମା ଶିଳ୍ପ ସହ ଜଡ଼ିତ। ଅନୁଭବ ହେଉଛନ୍ତି ସେହି ଅଭିନେତା, ଯିଏକି ୨୦୧୫ରୁ ୨୦୧୮ ଯାଏଁ ଭାଜପା ପ୍ରାର୍ଥୀ ତଥା ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ଚାରିଟି ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନର ଦ୍ୱିତୀୟ ଓଡ଼ିଆ ଫିଚର ଫିଲ୍ମ ‘ଗପ ହେଲେ ବି ସତ’ ରେ ଅନୁଭବ ନାୟକ ଭୂମିକାରେ ପ୍ରଥମେ ଅଭିନୟ କରି ଏହି ବ୍ୟାନରରେ ଏଣ୍ଟ୍ରି ନେଇଥିଲେ। ୨୦୧୫ରେ ଏହା ରିଲିଜ୍‌ ହୋଇଥିଲା। ପୁଣି ସେହି ବର୍ଷ ଅନୁଭବ ତରଙ୍ଗ ସିନେପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ଜଗା ହାତରେ ପଘା’ରେ ନାୟକ ଭୂମିକାରେ ଅଭିନୟ କରିଥିଲେ। ୨୦୧୫ ରଜରେ ‘ଗପ ହେଲେ ବି ସତ’ ଓ ପୂଜା ବଜାରକୁ ଆସିଥିଲା ‘ଜଗା ହାତରେ ପଘା’। ଏ ଦୁଇ ସିନେମା ଅନୁଭବଙ୍କ କ୍ୟାରିଅର୍‌କୁ ନୂଆ ମୋଡ଼ ବି ଦେଲା ବୋଲି କୁହାଯାଇପାରେ।

୨୦୧୭ରେ ଅନୁଭବ ପୁଣି ତରଙ୍ଗ ସିନେ ପ୍ରଡକ୍ସନ୍ସର ସିନେମା ‘ଅଭୟ’ ଓ ୨୦୧୮ରେ ‘ପ୍ରେମ କୁମାର:ସେଲ୍ସମ୍ୟାନ୍‌ ଅଫ୍‌ ଦ ଇୟର’ ସିନେମାରେ ନାୟକ ଭୂମିକାରେ ଅଭିନୟ କରିଥିଲେ। ତରଙ୍ଗ ସିନେ ପ୍ରଡକ୍ସନ୍‌ସରେ ଶେଷ ଥର ପାଇଁ ଅନୁଭବ ‘ପ୍ରେମ କୁମାର’ରେ କାମ କରିଥିଲେ। ଏହି ଫିଲ୍ମ ପାଇଁ ସେ ଖୁବ୍‌ ଚର୍ଚ୍ଚିତ ମଧ୍ୟ ହୋଇଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ତରଙ୍ଗ ସିନେ ପ୍ରଡକସନ୍ସ ହେଉଛି ବୈଜୟନ୍ତ ପଣ୍ଡାଙ୍କ ଧର୍ମପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ପରିଚାଳିତ ଓଡ଼ିଶାର ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା।

ଏସବୁ ଦୃଷ୍ଟିରୁ ଅନୁଭବ ପ୍ରକାରାନ୍ତରେ ତାଙ୍କର ଜଣେ ପୁରୁଣା ପ୍ରଯୋଜକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଅନୁଭବ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଆଗରୁ ସେ ବିଧାନସଭା କି ଲୋକସଭା ନିର୍ବାଚନ ଲଢି ନାହାଁନ୍ତି। ଅପରପକ୍ଷରେ ବୈଜୟନ୍ତ ପଣ୍ଡା କ୍ରମାଗତ ଭାବେ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସହିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଦୁଇ ଦୁଇ ଥର ବିଜୟୀ ହୋଇ ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ ତୃତୀୟ ଥର ଲାଗି କେନ୍ଦ୍ରପଡାରୁ ଲୋକସଭା ଲାଗି ପ୍ରାର୍ଥୀ ହୋଇଛନ୍ତି। ବୈଜୟନ୍ତ-ଅନୁଭବଙ୍କ ଲଢେଇର ଫଳାଫଳ କ’ଣ ହେଉଛି? କିଏ ଏଠାରୁ ବିଜୟ ଲାଭ କରୁଛନ୍ତି,ତା’କୁ ନେଇ ଓଲିଉଡରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More