ପ୍ରଥମ ଥର ପାଇଁ ସାର୍ଥକ ପ୍ରଡକ୍ସନରେ ଦେଖିବାକୁ ମିଳିବେ ଏଲିନା !
ସାର୍ଥକ ପ୍ରଡକ୍ସନର ନୂଆ ଫିଲ୍ମ ‘ଟୋକାଟା ଫସିଗଲାରେ’ନାୟିକା ଭାବେ ଦମଦାର ଭୂମିକାରେ ଦେଖିବାକୁ ପାଇବେ ଏଲିନା ସାମନ୍ତରାୟଙ୍କୁ । ସୀତାରାମ ଅଗ୍ରୱାଲ ପ୍ରଯୋଜିତ, ରମେଶ ରାଉତ ନିର୍ଦ୍ଧେଶିତ ଏହି ଫିଳ୍ମରେ ନାୟକ ସବ୍ୟସାଚୀଙ୍କ ବିପକ୍ଷରେ ଏଲିନାଙ୍କୁ ଦେଖିବାକୁ ମିଳିବ । ଏହି ଯୋଡି ପ୍ରଥମ କରି ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି ।
ଯଦିଓ ଏହି ଯୋଡିଙ୍କୁ ପୂର୍ବରୁ ବିଜ୍ଞାପନରେ ଦେଖିବାକୁ ମିଳିଥିଲା, ମାତ୍ର ଏମାନେ ବଡ ପରଦାରେ ପ୍ରଥମ ଥର ଲାଗି ନିଜର ଜଲୱା ଦେଖାଇବା ପାଇଁ ଯାଉଛନ୍ତି । ତରଙ୍ଗ ପ୍ରଡକ୍ସନରେ ଏଲିନା ଅନେକ ଫିଲ୍ମ କରିବା ପରେ ବର୍ତ୍ତମାନ ତାଙ୍କୁ ପ୍ରଥମ ଥର ପାଇଁ ସାର୍ଥକ ପ୍ରଡକ୍ସନରେ ଦେଖିବାକୁ ମିଳିବ ।
ମାତ୍ର ସବ୍ୟସାଚୀଙ୍କ ପାଇଁ ସାର୍ଥକ ପୁରୁଣା ଅଟେ , କାରଣ ଏହା ପୂର୍ବରୁ ସେ ଏହି ପ୍ରଡକ୍ସନରେ ‘ପାଗଳ କରିଛି ପାଉଁଞ୍ଜି ତୋର’ ଏବଂ ‘ମୁଁ ଏକା ତମର’ପରି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଛନ୍ତି ।
ଏଲିନାଙ୍କ ସହ ଯିଏ ବି ଅଭିନୟ କରନ୍ତି ସେହି ଯୋଡିକୁ ଦର୍ଶକେ ପସନ୍ଦ କରନ୍ତି । ତେବେ ଆଗକୁ ଏହା ଦେଖିବାର ଅଛି ଯେ ଦର୍ଶକ ମାନେ ଏହି ଯୋଡିକୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ।