ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଏଲି ପାଢୀ, ପ୍ରିୱେଡିଂ ଫଟୋରେ ନଜର ଆସିଲା ଜବରଦସ୍ତ କେମେଷ୍ଟ୍ରୀ
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଏଲି ପାଢୀ । ଭଦ୍ରକର ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଶ୍ରୀମୟ ପଣ୍ଡାଙ୍କ ସହିତ ତାଙ୍କର ବିବାହ ଜାନୁଆରୀ ୨୫ ତାରିଖରେ ଅନୁଷ୍ଠିତ ହେବ । ଦୁହେଁ ପିଲାଦିନର ବନ୍ଧୁ ଏବଂ ଉଭୟ ପରିବାର ମଧ୍ୟରେ ଚିହ୍ନାଜଣା ତଥା ସୁସମ୍ପର୍କ ଆଗରୁ ରହିଆସିଛି । ତେବେ ଏହି ବନ୍ଧୁତା ଏବେ ପାରିବାରିକ ବନ୍ଧୁତାରେ ବଦଳିବାକୁ ଯାଉଥିବାରୁ ଉଭୟ ପରିବାର ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ । ଏଲି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୱେଡିଂ ଫଟୋ ସୁଟର କିଛି ଫଟୋ ସେୟାର କରିଝଛନ୍ତି । ଫଟୋରେ ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରୀ ନଜର ଆସିଛି ।
ଆଲବମ୍, ଧାରାବାହିକ ଏବଂ ସିନେମାରେ ଅଭିନୟ କରି ଏଲି ସଫଳତା ପାଇଛନ୍ତି । ଏହା ବ୍ୟତୀତ ଜଣେ ସଫଳ ମଞ୍ଚ ତଥା ଟିଭି ଆଙ୍କର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । “ତାଜା ଖବର’, ‘ଷୋହଳ ପୁରି ସତର ହେଲା’ ପରି କେତୋଟି ଚର୍ଚ୍ଚିତ ଆଲବମରୁ କ୍ୟାରିୟର ଆରମ୍ଭ କରିଥିବା ଏଲି ପରେ ପରେ “ଏଇ ମିଳନ ଯୁଗ ଯୁଗର’, “୨୦୧୪- ଫିୟର ଅଫ୍ ଦ ଇୟର’ ଓ “ରାସ୍ତା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି ପାରିଛନ୍ତି । ଏହା ସହିତ ଟେଲି ଧାରାବାହିକ ତୁଳସୀ, ସିନ୍ଦୂର, ଅପା, ବଧୂ, ଅବୁଝା ମନ ଓ ଟୁପୁରୁ ଟାପୁରୁ ତାଙ୍କୁ ଆଣି ଦେଇଛି ଆଶାତୀତ ଲୋକପ୍ରିୟତା । ଖାଲି ସେତିକି ନୁହେଁ, ଦୀର୍ଘ ଦିନ ଧରି ପ୍ରସାରଣ ଜାରି ରଖିଥିବା ଟେଲିଭିଜନ କାର୍ଯ୍ୟକ୍ରମ “କିଏ ଜିତେ କିଏ ହାରେ’ ମାଧ୍ୟମରେ ସେ ଓଡ଼ିଶାର ଗାଁ ଗାଁରେ ମଧ୍ୟ ପରିଚିତ ।