Only for Entertainment

ସ୍ନାନ ଯାତ୍ରା ପରେ ଅଣସରରେ ଶ୍ରୀଜିଉ ! ଅଲାରନାଥରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ, ଭିଡ ଜମୁଛି, ଉତ୍ସାହ ବଢୁଛି

kanaknews
0 39

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ନୀଳକନ୍ଦର ନିବାସୀ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ପିଣ୍ଡିକୁ ବିଜେ ସମୟରେ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥାଏ। ଆଜିଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଦର୍ଶନରେ ଅଲାରନାଥଙ୍କ ଦର୍ଶନରେ ସମଫଳ ମିଳିଥାଏ ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି। ଆଜିଠାରୁ ଅଣସର ଦର୍ଶନ ୧୫ ଦିନ ପାଇଁ ଚାଲିବ। ଅଣସର ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ସେବାୟତ ନିଯୋଗ ସ୍ୱତନ୍ତ୍ର ଭାବରେ ନୀତିକାନ୍ତି ସ୍ଥିର କରଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟାଯିବା ପରେ ୪ଟା୩୦ରେ ମଙ୍ଗଳ ଆଳତି ହୋଇଛି। ସକାଳ ୬ଟାରେ ବେଶ ଓ ଚନ୍ଦନ ତୁଳସୀ ଲାଗି କରାଯାଇଛି। ସକାଳ ୬ଟାରେ ଗୋପାଳ ବଲ୍ଲଭ ପରେ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ ହେବାକୁ ଥିବା ବେଳେ ଅପରାହ୍ନ ଗୋଟାଏରେ ଦ୍ୱିପ୍ରହର ଧୂପ ହୋଇ ଗୋଟାଏ ୩୦ରେ ପହଡ଼ ହେବ। ପରେ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ସଂଧ୍ୟା ୭ଟାରେ ସଂଧ୍ୟା ଆଳତି, ୭ଟା ୩୦ରେ ମଇଲମ, ରାତି ୮ଟାରେ ସର୍ବସାଧାରଣ ଦର୍ଶନ, ରାତି ୧୧ଟାରେ ସଂଧ୍ୟା ଧୂପ ଏବଂ ୧୧ଟା ୩୦ରେ ବଡ଼ସିଂହାର ହୋଇ ପହଡ଼ ନୀତି ହେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖ ଥାଉ କି, ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇ ଯାଇଛି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନବେଦିକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏହି ଉପଲକ୍ଷେ ଗତକାଲି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବା ସହ କୋଟି ପୂଣ୍ୟ ଲାଭ କରିଥିଲେ। ଏଥିପାଇଁ ଗତକାଲି ସମଗ୍ର ବଡ଼ଦାଣ୍ଡ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତ ଓ ଭଗବାନ ଏକାକାର ହୋଇ ଯାଇଥିଲେ। ଗତକାଲି ରାତିରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ବ୍ୟବସ୍ଥାବଳୀରେ ସାମାନ୍ୟ ଏପଟସେପଟ ହୋଇଥିଲେ ବି ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଗତକାଲି ମହାପ୍ରଭୁଙ୍କ ସମସ୍ତ ନୀତି ସୁରୁଖୁରୁରେ ସଂପନ୍ନ ହୋଇଛି।

ଆରମ୍ଭରୁ ସାମାନ୍ୟ ବିଳମ୍ବ ହୋଇଥିଲେ ବି ଗୁରୁବାର ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ସମସ୍ତ ନୀତି ଆଗେଇ ଚାଲିଥିଲା। ସକାଳ ପ୍ରାୟ ୬ଟାରେ ମଙ୍ଗଳାର୍ପଣ ନୀତି ସଂପନ୍ନ ହେବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୧୦ ମିନିଟ୍ରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଦଇତାପତିମାନେ ରତ୍ନବେଦିରୁ ଧାଡ଼ି ପହଣ୍ଡିରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନବେଦିକୁ ପାଛୋଟି ଆଣିଥିଲେ। ସାତ ପାହାଚରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧା ନୀତି ସଂପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତି ଝୁଲି ଝୁଲି ସ୍ନାନବେଦିକୁ ବିଜେ କରିଥିଲେ। ସକାଳ ୮ଟାରେ ସ୍ନାନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିବା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅଧରପୋଛା, ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ନୀତି ଶେଷ ହୋଇଥିଲା। ଅପରାହ୍ଣ ପ୍ରାୟ ଗୋଟାଏରେ ଜଳବିଜେ ଓ ପୂଜା କାର୍ଯ୍ୟ ପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା।

ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ଶୋଧ ପରେ ଅପରାହ୍ଣ ଗୋଟାଏରୁ ୨ଟା ମଧ୍ୟରେ ଜଳବିଜେ, ଜଳପୂଜା ଓ ଜଳଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ତରଦ୍ଵାର ମା ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ଗରାବଡ଼ୁମାନେ ଆଣିଥିବା ୧୦୮ ଗରା ଜଳକୁ ଅଧିବାସ କରାଯାଇ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜିଉଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ଶେଷ ପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା। ପରେ ମହାପ୍ରଭୁ ନୂଆଲୁଗା ପିନ୍ଧି ବେଶ ହୋଇଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜନଅରରୁ ସ୍ୱତନ୍ତ୍ର ମେହେନାରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଅପରାହ୍ଣ ସାଢ଼େ ୩ଟାରେ ସୁନା ଝାଡ଼ୁରେ ଛେରାପହଁରା କରିଥିଲେ। ଛେରାପହଁରା ନୀତି ପରେ ହାତୀବେଶ ପାଇଁ ପୂର୍ବରୁ ସୋଲରେ ପ୍ରସ୍ତୁତ ହୋଇ ରହିଥିବା ମୁକୁଟ ଶ୍ରୀଜିଉଙ୍କୁ ପିନ୍ଧା ଯାଇଥିଲା। ଅପରାହ୍ଣ ପ୍ରାୟ ୪ଟାରେ ତିନି ଠାକୁର ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ନୀତି ସଂପନ୍ନ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରାତି ସାଢ଼େ ୧୦ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧ ମୂର୍ତ୍ତି ଅଣସର ଘରକୁ ଯାଇଥିଲେ। ରାତି ସାଢ଼େ ଗୋଟାଏରେ ବାହୁଡ଼ା ପହଣ୍ଡି ଶେଷ ପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସଂପନ୍ନ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More