କୁମ୍ଭ ଅର୍ଥର ଉତ୍ତର ନଦେଇ ପାରି ଟ୍ରୋଲ ହେଲେ ତାପସୀ ପନ୍ନୁ, ଲୋକେ ସୋନାକ୍ଷୀଙ୍କ ସହିତ କଲେ ତୁଳନା
କେବିସି-୧୧ରେ ଶୁକ୍ରବାର କର୍ମବୀର ଅଧ୍ୟାୟରେ ସାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ତାଙ୍କ ସହ ହଟ୍ ସିଟରେ ବସିଥିଲେ ଓଡ଼ିଶାରେ ଥିବା କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଦୁହେଁ ମୋଟ ୧୨ଲକ୍ଷ ୫୦ହଜାର ଟଙ୍କା ଜିତିବାରେ ସଫଳ ହୋଇଥିଲେ। କିନ୍ତୁ ୧୦,୦୦୦ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନ ଦେଇ ପାରି ବଲିଉଡ୍ ଅଭିନେତ୍ରୀ ତାପସୀ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ତାଙ୍କୁ ଏବେ ସୋନାକ୍ଷୀଙ୍କ ସହ ତୁଳନା କରିବାରେ ଲାଗି ପଡ଼ିଛନ୍ତି ଲୋକେ।
ସୂଚନା ମୁତାବକ, ୧୦,୦୦୦ ପାଇଁ ପଚରାଯାଇଥିବା ପ୍ରଶ୍ନଟି ଥିଲା କି, କୁମ୍ଭମେଳାରେ କୁମ୍ଭ ର ଶାବ୍ଦିକ ଅର୍ଥ କ’ଣ? ଏହାର ୪ଟି ବିକଳ୍ପରେ ଥିଲା ଘଡ଼ା, ମନ୍ଥନ, ଜଲ ଓ ଅମୃତ। ପଚରାଯାଇଥିବା ପ୍ରଶ୍ନର ଉତ୍ତର ଘଡ଼ା ହୋଇଥିବା ବେଳେ ତାପସୀ ଏହାର ଉତ୍ତର ଦେଇ ପାରି ନଥିଲେ। ଉତ୍ତରଟି ଅତି ସହଜ ଥିବା ବେଳେ ତାପସୀ ଏହାର ଉତ୍ତର ଦେବା ପାଇଁ ଅଡିଏନ୍ସ ପୋଲ ଲାଇଫଲାଇନ୍ ବ୍ୟବହାର କରିଥିଲେ। ଯାହା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।