Only for Entertainment

ପୃଥିବୀର ସବୁଠାରୁ ଶାନ୍ତି ପୂର୍ଣ୍ଣ ଦେଶ! ଜାଣନ୍ତୁ ଏହା ସମ୍ପର୍କରେ !

0 81

ଏକବିଂଶ ଶତାବ୍ଦୀରେ ପାଦ ରଖିଥିଲେ ହେଁ ଆମେ ଶାନ୍ତିରକ୍ଷା କ୍ଷେତ୍ରରେ ସେତେଟା ସଫଳ ହୋଇପାରିନାହାନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ, ବିବାଦ, ଆଭ୍ୟନ୍ତରୀଣ କନ୍ଦଳ ଇତ୍ୟାଦି ଲାଗି ରହିଛି। କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛି, ଯେଉଁଠି ଲୋକମାନେ ଶାନ୍ତି ଓ ସଦ୍‌ଭାବନାର ବାର୍ତ୍ତା ବୁଝନ୍ତି ଓ ପଡ଼ୋଶୀ ରାଷ୍ଟ୍ର ସହ ଉତ୍ତମ ବନ୍ଧୁତା ସ୍ଥାପନ କରି ଶାନ୍ତିପ୍ରିୟ ଦେଶର ମାନ୍ୟତା ଲାଭ କରିଛନ୍ତି। ଏହି ଦେଶମାନଙ୍କର ତାଲିକା ‘ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ ବା’ ଜିପିଆଇ’ ମାଧ୍ୟମରେ କରାଯାଇଥାଏ।
ଗ୍ଲୋବାଲ ପିସ୍‌ ଇଣ୍ଡେକ୍ସ: ଏହା ପ୍ରଥମେ ୨୦୦୭ ମସିହା ମେ ମାସରେ ଆରମ୍ଭ ହୋଇଥିଲା। ‘ଇନଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌’ (ଆଇଇପି) ଓ ସୁଦକ୍ଷ ଶାନ୍ତି ବିଶେଷଜ୍ଞଙ୍କ ମିଳିତ ପ୍ରଚେଷ୍ଟାରେ ଏହା ପ୍ରସ୍ତୁତ କରାଯାଏ। ଗତ ବର୍ଷ ଏହି ପ୍ୟାନେଲ୍‌ରେ ନୋବେଲ୍‌ ପୁରସ୍କାର ବିଜେତାଙ୍କଠୁ ନେଇ ପୂର୍ବତନ ରାଷ୍ଟ୍ରପତି, ବିଶପ୍‌, ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତାଙ୍କ ପରି ଅନେକ ବିଜ୍ଞବ୍ୟକ୍ତି ସାମିଲ ଥିଲେ। ପ୍ରାୟ ୨୩ ଟି ପ୍ରସଙ୍ଗ ଯେପରି ସାମାଜିକ ସୁରକ୍ଷା, ଗୃହ ଏବଂ ଅନ୍ତର୍ଜାତୀୟ ଦ୍ୱନ୍ଦ୍ୱ, ସଂଯୁକ୍ତ ରାଷ୍ଟ୍ର ଶାନ୍ତିରକ୍ଷା ମିଶନ୍‌କୁ ଅର୍ଥଦାନ, ପଡ଼ୋଶୀ ରାଷ୍ଟ୍ର ସହ ସଂପର୍କ, ସାମରିକ ବ୍ୟୟ, ଯୁଦ୍ଧ, ସ୍କୁଲ୍‌ଶିକ୍ଷା, ହିଂସା, ଅପରାଧ ହାର, ରାଜନୈତିକ ସ୍ଥିରତା ଇତ୍ୟାଦି ଉପରେ ସବିଶେଷ ତର୍ଜମା କରାଯାଇ ଦେଶମାନଙ୍କୁ ତାଲିକା ଅନ୍ତର୍ଭୁକ୍ତ କରାଯାଇଥାଏ। ୨୦୧୭ ମସିହାରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ଦେଶଗୁଡ଼ିକ ପୃଥିବୀର ସବୁଠୁ ଶାନ୍ତିପ୍ରିୟ ଦେଶ।
୧୦. ଜାପାନ- (ଜିପିଆଇ ମାନ୍ୟତା-୧.୪୦୮)
ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତ ଥିବା ଜାପାନ ଏକ ଶାନ୍ତିପ୍ରିୟ ଦେଶ ଭାବେ ଜଣାଯାଏ। ଏହି ଦେଶରେ ହିଂସା ଅପରାଧ ଓ ନରହତ୍ୟାର ହାର ବହୁତ କମ୍‌। ଜାପାନ ତା’ର ପଡ଼ୋଶୀ ଦେଶମାନଙ୍କ ସହ ଅନ୍ତରଙ୍ଗ ଭାବେ ଜଡ଼ିତ। ଏହା ମୋଟ ଜାତୀୟ ଉତ୍ପାଦନ ବା’ ଜିଡିପିରେ ବିଶ୍ୱର ତୃତୀୟ ସର୍ବବୃହତ୍‌ ଅର୍ଥନୈତିକ ଦେଶ। ଏହାର ପରିବହନ ବ୍ୟବସ୍ଥା ମଧ୍ୟ ଚମତ୍କାର। ଯାତ୍ରୀମାନେ ମୁଖ୍ୟତଃ ରେଳରେ ଯାତାୟତ କରିବାକୁ ପସନ୍ଦ କରନ୍ତି। ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ବେଗ ୩୫୦ କି.ମି ଥିବାବେଳେ ଏଠାରେ ଟ୍ରେନ୍‌ର ହାରାହାରି ବିଳମ୍ବ ସମୟ ମାତ୍ର ୧୦-୧୬ ସେକେଣ୍ଡ ହୋଇଥାଏ।
୯. ସ୍ୱିଜରଲ୍ୟାଣ୍ଡ୍‌- (ଜିପିଆଇ ମାନ୍ୟତା- ୧.୩୭୩)
ସ୍ୱଚ୍ଛ ଏବଂ ପରିଷ୍କାର ସହର, କମ୍‌ ଅପରାଧ ହାର ଏବଂ ଉତ୍କଷ୍ଟମାନର ଖାଦ୍ୟ ଯୋଗୁଁ ସ୍ୱିଜରଲ୍ୟାଣ୍ଡ୍‌ ଏକ ସୁଖୀ ଦେଶ ଭାବେ ପରିଗଣିତ। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ ରହିଛି। ଦେଶରେ ଦରମା ହାର ଅଧିକ ଥିଲାବେଳେ କର ହାର ତା’ ତୁଳନାରେ ବହୁତ କମ୍‌। କେବଳ ଏହି ଦେଶରେ କୌଣସି ପେସାଦାର ସାମରିକ ସେନା ନାହାନ୍ତି। ଏହା ବିଶ୍ୱର ସବୁଜ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଏଠାକାର ଲୋକମାନେ ନବୀକରଣୀୟ ଶକ୍ତି ଉତ୍ସ ସହ ପରିବେଶ ଉପଯୋଗୀ ଉତ୍ପାଦ ବ୍ୟବହାର କରିଥା’ନ୍ତି। ଦେଶରେ ସୁଦୂର ପ୍ରସାରୀ ସାଇକେଲ୍‌ ଚାଳନା ମାର୍ଗ ଅଛି।
୮. କାନାଡ଼ା (ଜିପିଆଇ ମାନ୍ୟତା-୧.୩୭୧)
କାନାଡ଼ା ସରକାରଙ୍କ ଅନୁସାରେ ଦେଶର ନାଗରିକଙ୍କ ସୁରକ୍ଷା ଏକ ଭଲ ଦେଶର ମୂଳ ମନ୍ତ୍ର ହେବା ଉଚିତ। ଏହି ଦେଶରେ ନରହତ୍ୟା ଓ ଅପରାଧର ହାର ବହୁତ କମ୍‌। ବିଶ୍ୱର ଶ୍ରେଷ୍ଠ ଶିକ୍ଷିତ ଦେଶମାନଙ୍କ ମଧ୍ୟରେ ଏହା ଅନ୍ୟତମ। ତୃତୀୟ ସ୍ତରୀୟ ଶିକ୍ଷିତ ଲୋକମାନଙ୍କ ହାର ୫୨.୬ ପ୍ରତିଶତ ଥିଲାବେଳେ ଭୋଟର ହାର ୬୧ ପ୍ରତିଶତ। ଏଠାରେ ବେକାରୀଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌। ଏଠାକାର ସରକାର ୧୯୭୬ ମସିହାରେ ରାଷ୍ଟ୍ରୀୟ ଦଣ୍ଡବିଧାନ ଉଚ୍ଛେଦ କରିଦେଇଛନ୍ତି।

୭. ସ୍ଲୋଭେନିଆ- (ଜିପିଆଇ ମାନ୍ୟତା-୧.୩୬୪)
ଏହା କେନ୍ଦ୍ରୀୟ ୟୁରୋପର ଶନ୍ତିପୂର୍ଣ୍ଣ ବାତାବରଣରେ ଥିବା ଏକ ସୁନ୍ଦର ଦେଶ। ଏଠାରେ ଅପରାଧର ହାର କମ୍‌ ସହ ଆପଣ ଶାନ୍ତ ବାତାବରଣର ମଜା ନେଇପାରିବେ। ଏଠାକାର ଅଧିବାସୀମାନଙ୍କର ବନ୍ଧୁତାପୂର୍ଣ୍ଣ ବ୍ୟବହାର ଯୋଗୁଁ ଏଠାରେ ପର୍ଯ୍ୟଟକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େନାହିଁ।
୬. ଚେକ୍‌ ଗଣତନ୍ତ୍ର- (ଜିପିଆଇ ମାନ୍ୟତା- ୧.୩୬୦)
ଚେକ୍‌ ଗଣତନ୍ତ୍ର ଏକ ଛୋଟ ୟୁରୋପୀୟ ଦେଶ। ପର୍ଯ୍ୟଟନ ଏହାର ମୁଖ୍ୟ ଶିଳ୍ପ। ଏହାର ରାଜଧାନୀ ‘ପ୍ରାଗ୍ୟୁ’ ୟୁରୋପର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଛି। ଅପରାଧର ହାର ଏଠାରେ ବହୁତ କମ୍‌ ଥିବାରୁ ଏଠାରେ ଲୋକେ ରହିବାକୁ ବେଶି ପସନ୍ଦ କରନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠାରେ ଜରୁରିକାଳୀନ ସୁରକ୍ଷା ବ୍ୟବସ୍ଥା ଅଛି। ବିଦେଶୀମାନଙ୍କର ପ୍ରବଳ ଦେଶାନ୍ତରଣ ଯୋଗୁଁ ଏଠାରେ ବିଭିନ୍ନ ଦେଶର ଲୋକମାନେ ଦେଖିବାକୁ ମିଳନ୍ତି। ଏଠାରେ ବିଭିନ୍ନ ପ୍ରକାରର ବାର୍‌ ଏବଂ ରେଷ୍ଟୁରାଣ୍ଟ୍‌ର ବିସ୍ତାର ଦେଖିବାକୁ ମିଳେ। ଶସ୍ତା ଏବଂ ସୁରକ୍ଷିତ ଯାତାୟାତ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ।
୫. ଡେନ୍‌ମାର୍କ- (ଜିପିଆଇ ମାନ୍ୟତା- ୧.୩୩୭)
ଡେନ୍‌ମାର୍କ ପୃଥିବୀର ସବୁଠୁ ସୁଖୀ ଓ କମ୍‌ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ଭାବେ ବେଶ୍‌ ଜଣାଶୁଣା। ଉଚ୍ଚ ଶିକ୍ଷାହାର, ଉନ୍ନତ ସ୍ୱାସ୍ଥ୍ୟସେବା ଓ ସମୃଦ୍ଧ ଜୀବନଶୈଳୀ ପାଇଁ ଏଠାରେ ରହିବାକୁ ଖୁବ୍‌ ପସନ୍ଦ କରନ୍ତି। ଲିଙ୍ଗଗତ ସାମ୍ୟ କ୍ଷେତ୍ରରେ ଏହା ପୃଥିବୀର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହା ରାଜନୈତିକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ଦର୍ଶାଉଛି। ଡେନ୍‌ମାର୍କରେ ଅନେକ ପ୍ରକାରର ସମାଜ କଲ୍ୟାଣକାରୀ କାର୍ଯ୍ୟଗୁଡ଼ିକ ମଧ୍ୟରୁ ମୁକ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଅନ୍ୟତମ। ଏଠାକାର ସବୁଠୁ ଅଧିକ ଜନସଂଖ୍ୟା ଥିବା କୋପେନ୍‌ହାଗେନ୍‌ ସହରରେ ଲୋକେ ସାଇକେଲ୍‌ ଚଳାଇ ବା ଚାଲିକରି ନିଜ କର୍ମସ୍ଥଳୀ ବା ସ୍କୁଲ୍‌ ଯିବାକୁ ବେଶୀ ପସନ୍ଦ କରିଥାନ୍ତି। ଏହାଦ୍ୱାରା ଏଠାରେ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ କମ୍‌ ହେଇଥାଏ। ୨୦୨୫ ସୁଦ୍ଧା ଏହି ଦେଶ କାର୍ବନ ମୁକ୍ତ ହେଇଯିବ ବୋଲି ଆଶା ରଖିଛି।
୪. ଅଷ୍ଟ୍ରିଆ- (ଜିପିଆଇ ମାନ୍ୟତା- ୧.୨୬୫)
ଏହି ୟୁରୋପୀୟ ଦେଶଟି ବହୁତ୍‌ କମ୍‌ ଅପରାଧ ଓ ନରହତ୍ୟାର ହାର ଯୋଗୁଁ ଜଣାଶୁଣା। ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନିମନ୍ତେ ଶକ୍ତ ଆଇନ ଯୋଗୁଁ ଏହି ଦେଶ ବିଶ୍ୱପ୍ରସିଦ୍ଧ। ଜିଡିପି ଅନୁଯାୟୀ ଏହା ବିଶ୍ୱର ଶ୍ରେଷ୍ଠ ଧନୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଏଠାରେ ପରିବହନ ବ୍ୟବସ୍ଥା ମଧ୍ୟ ଉତ୍କଷ୍ଟମାନର। ଅଷ୍ଟ୍ରିଆର ଐତିହାସିକ ସ୍ଥାପତ୍ୟ ଏବଂ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।
୩. ପର୍ତୁଗାଲ (ଜିପିଆଇ ମାନ୍ୟତା- ୧.୨୫୮)
ପର୍ତ୍ତୁଗାଲ ବିଶ୍ୱର ତୃତୀୟ ଶ୍ରେଷ୍ଠ ଶାନ୍ତିପ୍ରିୟ ଦେଶ। ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ରଖିବାକୁ ଏଠାକାର ପୋଲିସ୍‌ ଓ ଆଭ୍ୟନ୍ତରୀଣ ସୁରକ୍ଷା କର୍ମୀ ସଦା ଚେଷ୍ଟିତ ଥାଆନ୍ତି। ଏଠାରେ ନରହତ୍ୟାର ହାର ମଧ୍ୟ ବହୁତ କମ୍‌। ଏହା ବ୍ୟତୀତ ସ୍ୱଳ୍ପମୂଲ୍ୟ ଜୀବିକା, ସ୍ୱଚ୍ଛ କର ନିୟମାବଳୀ, ଉତ୍କଷ୍ଟ ଜଳବାୟୁ ଓ ବନ୍ଧୁତାପୂର୍ଣ୍ଣ ବାତାବରଣ ଯୋଗୁଁ ଏହା ଏକ ଶାନ୍ତିପ୍ରିୟ ଦେଶର ମାନ୍ୟତା ପାଇଛି।
୨. ନ୍ୟୁଜିଲ୍ୟାଣ୍ଡ୍‌ (ଜିପିଆଇ ମାନ୍ୟତା- ୧.୨୪୧)
ସାମାଜିକ ପ୍ରଗତି, ପଡ଼ୋଶୀ ଦେଶମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାରେ ନ୍ୟୁଜିଲ୍ୟାଣ୍ଡ୍‌ ସବୁଠୁ ଆଗରେ। ଏହି ଦେଶରେ ଶକ୍ତ ଏବଂ ସ୍ୱାଧୀନ ନ୍ୟାୟପାଳିକା ବ୍ୟବସ୍ଥା ସହ ଉତ୍ସର୍ଗୀକୃତ ପୋଲିସ୍‌ ଫୋର୍ସ ମଧ୍ୟ ଅଛନ୍ତି। ଏହି ନିରାପଦ ରାଷ୍ଟ୍ରଟି ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ସହ ଉନ୍ନତମାନର ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଏଠାକାର ବେକାରି ଓ ରୋଗୀମାନଙ୍କ ପାଇଁ ସରକାରଙ୍କ ତରଫରୁ କମ୍‌ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଏ।
୧. ଆଇସ୍‌ଲ୍ୟାଣ୍ଡ୍‌ (ଜିପିଆଇ ମାନ୍ୟତା-୧.୧୧୧)
ଜିପିଆଇ ବା ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ (୨୦୧୭) ମାନ୍ୟତା ଅନୁସାରେ ଏହା ଶ୍ରେଷ୍ଠ ଶାନ୍ତିପ୍ରିୟ ଦେଶ। ଏଠାରେ ଉଚ୍ଚସ୍ତରୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ଲିଙ୍ଗଗତ ସାମ୍ୟ ଦେଖିବାକୁ ମିଳେ। ଏଠାରେ ସାକ୍ଷରତା ହାର ୯୯ ପ୍ରତିଶତ ଥିବା ବେଳେ ଟ୍ୟୁସନ୍‌ ଫି ନିଆଯାଏ ନାହିଁ। ଆଇସ୍‌ଲ୍ୟାଣ୍ଡ୍‌ର ଅଧିବାସୀମାନେ ସାରା ପୃଥିବୀରେ ବିଜ୍ଞ ବ୍ୟକ୍ତି ଭାବେ ଗଣାଯାନ୍ତି। ସେମାନେ ବିଭିନ୍ନ ପୁସ୍ତକ ପଢ଼ିବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ। ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଚାକିରି କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ଅଗ୍ରାଧିକାର ଦିଆଯାଏ। ଜଣେ ମହିଳାଙ୍କୁ ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ କରିବାରେ ଏହା ପ୍ରଥମ ୟୁରୋପୀୟ ଦେଶର ମାନ୍ୟତା ଲାଭ କରିଛି। ଏହି ଦେଶ ମଶାମୁକ୍ତ। କାରଣ ସେମାନେ ଏଠାକାର ଅତ୍ୟଧିକ ଥଣ୍ଡା ପରିବେଶରେ ତିଷ୍ଠି ପାରିବେ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More