Only for Entertainment

ସାମ୍ନାକୁ ଆସିଲା ଜାହ୍ନବୀଙ୍କର ପ୍ରଥମ ଚିଠି,ଶବ୍ଦରେ ବୟାନ କଲେ ମା’ଙ୍କୁ ହରାଇବାର ଦୁଃଖ ।

youtube
0 54

ପଂଚଭୁତରେ ଲୀନ ହୋଇସାରିଛି ଶ୍ରୀଦେବୀଙ୍କ ଶରୀର । ତଥାପି ତାଙ୍କ ଅନୁପସ୍ଥିତି ଓ ଅଭାବକୁ ଝୁରିହେଉଛି ତାଙ୍କ ପରିବାର । କିଛି ଦିନ ତଳେ ଶ୍ରୀଦେବୀଙ୍କ ସ୍ମୃତିରେ ବୋନି କପୁର ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ଶ୍ରୀଦେବୀଙ୍କୁ ଝୁରୁଥିବାର ସ୍ପଷ୍ଟ ଉଲ୍ଲେଖ ଥିଲା । ସାମ୍ନାକୁ ଆସିଛି ଶ୍ରୀଦେବୀଙ୍କ ପାଇଁ ଜାହ୍ନବୀ କପୁର ଲେଖିଥିବା ଚିଠି । ଅସମୟରେ ଶ୍ରୀଦେବୀ ଚାଲିଯିବା ଅତି ଦୁଃଖଦ ବୋଲି କହିଛନ୍ତି ଜାହ୍ନବୀ । ଶ୍ରୀଦେବୀଙ୍କ ପରଲୋକ ପରେ ଝିଅ ଜାହ୍ନବୀ କପୁର ଲେଖିଲେ ଭାବପ୍ରବଣ ଚିଠି । ମାଆ ହରାଇବା କେତେ ଦୁଃଖଦାୟକ ତାହା ଚିଠିରେ ବୟାନ କରିଛନ୍ତି ଜାହ୍ନବୀ । ଶ୍ରୀଦେବୀଙ୍କ ହାତ ଧରି ବାଟ ଚାଲିବା ଶିଖିଥିବା ଜାହ୍ନବୀ ଆଗକୁ କିପରି ଚାଲିବେ ଜୀବନର ଲମ୍ବା ବାଟ ତାହାକୁ ଅତି ଭାବପ୍ରବଣ ହୋଇ ବର୍ଣ୍ଣନା କରିଛନ୍ତି ଜାହ୍ନବୀ ।

“ମାଆ, ମୋ ମନରେ ଦୁଃଖଭରା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମୁଁ ଜାଣିଛି ମୋତେ ଏହା ସହିତ ହିଁ ବଂଚିବା ଶିଖିବାକୁ ହେବ । ତମାମ ଶୂନ୍ୟତା ସତ୍ୱେ ମୁଁ ଏବେ ବି ତମ ଭଲ ପାଇବା ଅନୁଭବ କରିପାରୁଛି । ତମେ ସବୁପ୍ରକାର ଦୁଃଖ ଓ କଷ୍ଟରୁ ମୋଠୁ ଦୁରେଇ ରଖୁଥିବା ବି ମୁଁ ଅନୁଭବ କରୁଛି । ଯେତେବେଳେ ବି ମୁଁ ଆଖି ବନ୍ଦ କରୁଛି ମତେ ଖାଲି ଭଲ ସ୍ମୃତି ହିଁ ମନକୁ ଆସୁଛି । ମୁଁ ଜାଣିଛି ତମେ ହିଁ ଏସବୁ କରୁଛ । ତମେ ଭଗବାନଙ୍କ ବରଦାନ ପରି ଆମ ଜୀବନରେ ସାମିଲ୍ ହୋଇଥିଲ । ଆମେ ସେତେ ପର୍ୟ୍ୟନ୍ତ ଖୁସି ଥିଲୁ ଯେତେ ସମୟ ଯାଏଁ ତମେ ଆମ ସହ ଥିଲ । ତମେ ଏହି ଦୁନିଆ ପାଇଁ ତିଆରି ହୋଇନଥିଲ । ତମେ ବହୁତ ଭଲ, ସ୍ନେହୀ ଓ ସଫା ହୃଦୟର ଥିଲ । ଏହି କାରଣରୁ ଭଗବାନ ତମକୁ ତାଙ୍କ ପାଖକୁ ନେଇଗଲେ” ।

“ମୁଁ ସର୍ବଦା ଖୁସି ରହେ ବୋଲି ମୋ ବନ୍ଧୁମାନେ ସବୁବେଳେ କହନ୍ତି । ଏବେ ମୁଁ ଜାଣିପାରୁଛି ଏହାର କାରଣ କେବଳ ତମେ ହିଁ ଥିଲ । କେହି କିଛି କହିଦେଲେ ବି ମୋ ପାଇଁ ତାର ଗୁରୁତ୍ୱ ନଥିଲା । କୌଣସି ସମସ୍ୟା ବଡ଼ ନଥିଲା । କୌଣସି ବି ଦିନ ଉଦାସ ଭରା ନଥିଲା କାରଣ ତମେ ମୋ ପାଖେ ଥିଲ । ମୋତେ କୌଣସି ଜିନିଷ କିମ୍ବା କାହା ଉପରେ ବିଶ୍ୱାସ କରିବାର ଦରକାର ହିଁ ନଥିଲା କାରଣ କେବଳ ତମେ ହିଁ ମୋର ଦରକାର ଥିଲ । ତମେ ମୋ ଆତ୍ମାର ଅଂଶ ଥିଲ । ମୋର ସବୁଠୁ ପ୍ରିୟ ବନ୍ଧୁ । ଜୀବନ ସାରା ତମେ କେବଳ ଦେଇ ହିଁ ଆସିଛି । ବଦଳରେ ମୁଁ ତମକୁ ଗର୍ବିତ କରାଇବାକୁ ଚାହୁଁଥିଲି” ।

“ମୁଁ ତମକୁ କଥା ଦେଉଛି । ଏଇକଥା ଭାବି ସକାଳୁ ଉଠିବି ଯେ ମୋତେ ମୋ ମାଆଙ୍କୁ ଗର୍ବିତ କରାଇବାର ଅଛି । କାରଣ ତମେ ଏଇଠି ନଥାଇ ବି ଅଛ । ମୁଁ ତମକୁ ଅନୁଭବ କରିଛି । ଖୁସି, ପାପା ଓ ମୋ ସହ ତମେ ଏବେ ବି ଏଇଠି ଅଛ । ତମେ ଯାହା ଛାଡ଼ିଦେଇ ଯାଇଛ ତାହା ଆମକୁ ମଜବୁତ କରିବ । ଆଗକୁ ବଢ଼ିବାକୁ ଏତିକି ହିଁ ଯଥେଷ୍ଟ” । ଇତି ତମ ଝିଅ ଜାହ୍ନବୀ . . .

ଖୁସି ଓ ଜାହ୍ନବୀ ହରାଇଛନ୍ତି ନିଜ ମାଆଙ୍କୁ । ବୋନି କପୁର ହରାଇଛନ୍ତି ନିଜ ପ୍ରାଣ ପ୍ରିୟା ପତ୍ନୀଙ୍କୁ । ଆଗକୁ ଜାହ୍ନବୀଙ୍କ ଫିଲ୍ମ କ୍ୟାରିୟର୍ ଯାହା ଥିଲା ଶ୍ରୀଦେବୀଙ୍କ ଆଖିର ସବୁଠୁ ବଡ଼ ସ୍ୱପ୍ନ । ମାଆଙ୍କ ଏହି ସ୍ୱପ୍ନକୁ ସାକାର କରିବେ ଜାହ୍ନବୀ ଆଉ ଶ୍ରୀଦେବୀ ହିଁ ସାଜିବେ ତାଙ୍କ ପ୍ରେରଣାର ଉତ୍ସ । ପରପାରିରେ ଥିଲେ ବି ଶ୍ରୀଦେବୀ ଗର୍ବ ଅନୁଭବ କରିବେ ଜାହ୍ନବୀଙ୍କ ପାଇଁ । ଚିଠିରେ ଶ୍ରୀଦେବୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଜାହ୍ନବୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More