ପ୍ରେମିକାଙ୍କୁ ମନାଇବା ପାଇଁ ଯୁବକ କଲେ କିଛି ଏପରି, ପଛରେ ପଡିଗଲେ ପୁଲିସ ।
ପ୍ରେମ ପାଇଁ ଜଣେ ଯୁବକ ଏପରି କିଛି କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ପିମ୍ପ୍ରି ଚିଞ୍ଚୱାଡ୍ ସହରର ଏକ ମାର୍କେଟ୍ ଅଞ୍ଚଳରେ । ସେଠାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବ ବ୍ୟବସାୟୀ, ନିଲେଶ୍ ଖେଡେକର୍ ନିଜ ଗର୍ଲ ଫ୍ରେଣ୍ଡଙ୍କୁ ମନାଇବା ପାଇଁ ସେହି ଅଞ୍ଚଳର ପ୍ରମୁଖ ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଝିଅର ନାଁ ସହିତ ଆଇ ଆମ୍ ସରି ଲେଖାଥିବା ପ୍ରାୟ ୩୦୦ ହୋର୍ଡିଂ ଓ ପୋଷ୍ଟର୍ ମାରିଥିଲେ । କେବଳ ଏତିକି ନୁହେଁ ପୋଷ୍ଟରରେ ଲାଲ୍ ରଙ୍ଗର ଏକ ହାର୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ।
ପୁଲିସର କହିବା ଅନୁସାରେ, ଶୁକ୍ରବାର ପ୍ରେମିକା ସେହି ସ୍ଥାନକୁ ଆସୁଥିବାରୁ, ଦୃଷ୍ଟିରେ ପଡ଼ିବା ଭଳି ତାଙ୍କ ଆସିବା ରାସ୍ତାରେ ନିଲେଶ୍ ହୋର୍ଡିଂ ଓ ପୋଷ୍ଟର୍ ଛାଇ କରି ଦେଇଥିଲେ। ବୁଧବାର ଓ ଗୁରୁବାର ବିଳମ୍ବିତ ରାତିରେ ଏପରି ହୋର୍ଡିଂ ମରାଯାଇଥିଲା। ଅଭିଯୁକ୍ତ ନିଲେଶ୍ ଓ ତାଙ୍କ ସାଥିଙ୍କୁ ଟ୍ରାକ୍ କରାଯିବା ପରେ ପୁଲିସ୍ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ତେବେ ପୁଲିସ୍ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ନିଲେଶ ଏପରି ଅଭିନବ ଢଙ୍ଗ ଏବେ ସୋଶାଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।