Only for Entertainment

ଆରପାରିରେ ସୁପରହିଟ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ !

39

ସ୍ମୃତି ପାଲଟିଯାଇଛନ୍ତି ‘ସ୍ମୃତି ଏକ ରୁପା ଜହ୍ନ’ର ଗାୟକ ମହମ୍ମଦ ଅଜିଜ୍‌। ପ୍ରଥମ ଥର ପାଇଁ ୧୯୮୫ ମସିହାରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ ମହାନ୍ତିଙ୍କ ସଂଗୀତ ନିର୍ଦ୍ଦେଶିତ  ଓଡ଼ିଆ ଚଳଚ୍ଚିତ୍ର ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର ସୁପର୍‌ହିଟ୍‌ ଗୀତ ‘ରୁପା ଶଗଡ଼ିରେ ସୁନା କନିଆଁ…’ ଗୀତ ଗାଇବା ପରେ ଓଡ଼ିଶାର ପୂରପଲ୍ଲୀରେ ପରିଚିତ ପାଲଟିଥିଲେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌। ଏହା ପରେ ସେ ଅକ୍ଷୟ ମହାନ୍ତିଙ୍କ ସହ ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠଦାନ କରି ଓଡ଼ିଆ ଶ୍ରୋତାଙ୍କୁ ବହୁ ଚିରସବୁଜ ଗୀତ ଉପହାର  ଦେଇଥିଲେ।

ସେହି ବର୍ଷ ‘ମମତା ମାଗେ ମୂଲ’ ଚଳଚ୍ଚିତ୍ରର ତାଙ୍କର ଅନ୍ୟ ଏକ ଗୀତ ‘ଏ ଜୀବନେ, ମୋ ଜୀବନେ…’ ବହୁ ଲୋକପ୍ରିୟତା ହାସଲ କରିଥିଲା। ତା ପରେ ପରେ ‘ସହରୀ ବାଘ’ ଚଳଚ୍ଚିତ୍ରର ‘ଆଜି ମୁଁ ପିଇନି…’ ଗୀତ ଗାଇବା ପରେ ଏକାବେଳକେ ପାଲଟି ଯାଇଥିଲେ ଓଡ଼ିଶାବାସୀଙ୍କ ପ୍ରିୟ ଗାୟକ। ୧୯୮୬ ମସିହାରେ ‘ମାନିନୀ’ ଚଳଚ୍ଚିତ୍ରର ପ୍ରାୟ ସମସ୍ତ ଗୀତରେ କଣ୍ଠଦାନ କରିଥିବା ବେଳେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ତାଙ୍କର ‘ମୁଁ ପରଦେଶୀ ଚଢ଼େଇ…’ ଗୀତଟି। ସେହିବର୍ଷ ମହମ୍ମଦ ଅଜିଜ୍‌ଙ୍କ କଣ୍ଠରୁ ‘ଚକା ଭଉଁରୀ’ ଚଳଚ୍ଚିତ୍ରର ‘ସ୍ମୃତି ଏକ ରୁପା ଜହ୍ନ…’, ‘ଝରଣା ଝରଣା…’, ‘କିଛି ଲୋକ ଦେଇ ଜାଣନ୍ତି…’ ଗୀତଗୁଡ଼ିକ ଶ୍ରୋତାଙ୍କୁ ମତୁଆଲା କରିଥିବା ବେଳେ ୧୯୮୭ ମସିହାର ‘ଏଇତ ଦୁନିଆ’ ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ ତାଙ୍କୁ ଶ୍ରୋତାଙ୍କର ଆହୁରି ପାଖକୁ ନେଇ ଯାଇଥିଲା। ୧୯୮୮ ମସିହାର ଚଳଚ୍ଚିତ୍ର ‘ସୁନା ଚଢ଼େଇ’ର ଗୀତ ‘କଥା ତ ଏତିକି…’ ମହମ୍ମଦଙ୍କର ଅନ୍ୟତମ ହିଟ୍‌ ଗୀତ।

୧୯୮୯ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ମମତାର ଡୋରୀ’ର ଗୀତ ‘ତୁମରି ଦୁଆରୁ ଖାଲି ହାତ ନେଇ…’ ଗୀତଟି ଗାଇବା ପରେ ମହମ୍ମଦ ଅଜିଜ୍‌ ପ୍ରତ୍ୟେକ ଭଜନ ପ୍ରେମୀଙ୍କ ପ୍ରିୟ ହୋଇ ଯାଇଥିଲେ। ତା’ପରେ ପରେ ୧୯୯୩ ମସିହାରେ ‘ଅଣ୍ଟି ଛୁରୀ ତଣ୍ଟି କାଟେ’ ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ, ୧୯୯୮ ମସିହାର ‘ଲକ୍ଷ୍ମୀ ପ୍ରତିମା’ ଚଳଚ୍ଚିତ୍ରର ‘କାନ୍ଦେନାରେ କାନ୍ଦେନାରେ ବନର ଶାରୀ…’,  ‘ସୁହାଗ ସିନ୍ଦୂର’ ଚଳଚ୍ଚିତ୍ରର ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶିତ ‘ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର…’ ହେଉଛି ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ଗୀତ। ପୁଣି କିଛି ବର୍ଷ ବ୍ୟବଧାନ ପରେ ୨୦୦୨ ମସିହାରେ ‘ସନ୍ତାନ’ ଚଳଚ୍ଚିତ୍ରର ଗୀତ ‘ମଥାରେ ଦେଇ ପାଟ ଓଢ଼ଣୀ…’ ଗୀତଟି ସେ ସମୟରେ ପାଲଟିଥିଲା ମହମ୍ମଦ ଅଜିଜ୍‌ଙ୍କର ସବୁଠାରୁ ଭଲ ଧୁମ୍‌ଧଡକା ଗୀତ। ୨୦୦୭ ମସିହାରେ ସେ ‘ସମୟ ହାତରେ ଡୋରି’ ଚଳଚ୍ଚିତ୍ରରେ ବି କଣ୍ଠଦାନ କରିଥିଲେ।

ମହମ୍ମଦ ଅଜିଜ୍‌ ଓଡ଼ିଶାର  ଅଧିକାଂଶ ଜଣାଶୁଣା ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଅକ୍ଷୟ ମହାନ୍ତି, ମନ୍ମଥ ମିଶ୍ର, ମଳୟ ମିଶ୍ର ଆଦିଙ୍କ ସଂଗୀତ ନିର୍ଦ୍ଦେଶନାରେ ବହୁ ଗୀତରେ କଣ୍ଠଦାନ କରିଛନ୍ତି। ସେ ଶତାଧିକ ଓଡ଼ିଆ ଗୀତ ଗାଇବା ସହ ଓଡ଼ିଶାକୁ ନିଜର ଦ୍ୱିତୀୟ ଘର ବୋଲି ମଧ୍ୟ କହନ୍ତି। ଗୀତ ରେକର୍ଡିଂ କରିବା ପାଇଁ ସେ ଅନେକ ଥର କଟକ ଓ ଭୁବନେଶ୍ୱର ଆସିଛନ୍ତି। ବହୁ ଓଡ଼ିଆ ଭଜନ, ଆଧୁନିକ ଓ ସିନେ ସଂଗୀତ ଗାଇଥିବା ମହମ୍ମଦଙ୍କୁ ଓଡ଼ିଶାବାସୀ ମୁନା ଅଜିଜ୍‌ ଭାବେ ବେଶି ଜାଣନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More