କିକି ଚ୍ୟାଲେଞ୍ଜ ନ କରିବାକୁ ଓଡ଼ିଶା ପୋଲିସର ପରାମର୍ଶ
ଗତ କିଛିଦିନ ହେବ ସୋସିଆଲ ମିଡିଆ ସହ ସମଗ୍ର ଇଣ୍ଟରନେଟ୍ରେ ଟ୍ରେଣ୍ଡ୍ କରୁଥିବା କିକି ଚ୍ୟାଲେଞ୍ଜ ବା ‘ଇନ୍ ମାଇଁ ଫିଲିଙ୍ଗ୍ସ’ ଚ୍ୟାଲେଞ୍ଜ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ। ଏ ନେଇ ଓଡ଼ିଶା ପୋଲିସ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ସଚେତନଭିତ୍ତିକ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଅବଗତ କରାଇଛି। ଟ୍ରେଣ୍ଡ୍ ସହ ଭାସି ନ ଯାଇ ନିଜ ମନର ଉଦ୍ବେଗକୁ ନିୟନ୍ତ୍ରଣରେ ରଖିବାକୁ ଏବଂ ଉପସ୍ଥିତ ବୁଦ୍ଧି ଉପଯୋଗ କରିବାକୁ ପରାମର୍ଶ ଦେଇଛି। ଏଥିସହ ନିଜର ତଥା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଥିବା କୌଣସି କାମ ନ କରିବାକୁ ପୋଲିସ ସାଧାରଣ ଲୋକଙ୍କୁ ଟୁଇଟ୍ କରି ଜଣାଇଛି।
ନିକଟରେ ରିଲିଜ ହୋଇଥିବା ପ୍ରସିଦ୍ଧ କାନାଡିଆନ୍ କଣ୍ଠଶିଳ୍ପୀ ଡ୍ରେକ୍ଙ୍କ ‘ଇନ୍ ମାଇଁ ଫିଲିଙ୍ଗ୍ସ’କୁ ଏବେ ଟକ୍କର ଦେଉଛି ଓଡ଼ିଶା ପୋଲିସର ‘କଣ୍ଟ୍ରୋଲ ୟୋର୍ ଫିଲିଙ୍ଗ୍ସ’ ହାର୍ସଟ୍ୟାଗ୍। ବର୍ତ୍ତମାନ ଟ୍ରେଣ୍ଡ୍ କରୁଥିବା ଏହି ଚ୍ୟାଲେଞ୍ଜକୁ ପୋଲିସ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ଏ ନେଇ କେତେକ ସିରିଜ୍ ଟୁଇଟ୍ ମାଧ୍ୟମରେ କାହାର ‘ଇନ୍ ମାଇଁ ଫିଲିଙ୍ଗ୍ସ’ ଚ୍ୟାଲେଞ୍ଜକୁ ଗ୍ରହଣ ନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛି। ସେହିଭଳି ଏକ ଭିଡିଓ ମାଧ୍ୟମରେ ମଧ୍ୟ ଏହି ଚ୍ୟାଲେଞ୍ଜର ବିପଜ୍ଜନକ ଦିଗ ପ୍ରତି ଲୋକଙ୍କୁ ସଚେତନ କରିବାକୁ ପ୍ରଚେଷ୍ଟା କରାଯାଇଛି। ସୂଚନାଯୋଗ୍ୟ, ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ରାସ୍ତା ମଝିରେ ଚଳନ୍ତା କାର୍ରୁ ଓହ୍ଲାଇ ଡ୍ରେକ୍ଙ୍କ ‘କିକି ଡୁ ୟୁ ଲଭ୍ ମି’ ଗୀତରେ ଯୁବପିଢ଼ି ନୃତ୍ୟ କରୁଥିବା ବେଳେ ଏହାର ଭିଡିଓ ଏବେ ସବୁଆଡ଼େ ଛାଇଯାଇଛି। ଗତ ଜୁନ୍ ୩୦ରେ ‘ଦ ସିଗି ଶୋ’ର ଜଣାଶୁଣା କମେଡିଆନ୍ ଲିଲ୍ ସୁଜି ପ୍ରଥମେ ଏହି ଗୀତରେ ଚଳନ୍ତା କାର୍ରୁ ଓହ୍ଲାଇ ସିଗି ଷ୍ଟାଇଲ୍ରେ ଡ୍ୟାନ୍ସ କରିବା ପରେ ଏହା ଭାଇରାଲ ହୋଇଥିଲା।
ଏହାପରେ ପରସ୍ପରକୁ ଚ୍ୟାଲେଞ୍ଜ ଦିଆନିଆ ହୋଇ ସମସ୍ତେ ନିଜ ନିଜର ଭିଡିଓକୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିବା ପରେ ଏହା ଟ୍ରେଣ୍ଡ୍ କରିଥିଲା। ଏପରି କି, ଭାରତରେ ମଧ୍ୟ ଏହାର କ୍ରେଜ୍ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି, ୟୁଟ୍ୟୁବର୍ ଏବଂ ଭିଜେମାନେ ନିଜ ନିଜ ଭର୍ସନ ଭିଡିଓ ପ୍ରସ୍ତୁତ କରିବାକୁ ପଛାଇ ନ ଥିଲେ। ହେଲେ ଭାରତ ଭଳି ଏକ ଜନଗହଳିପୂର୍ଣ୍ଣ ଦେଶରେ ରାସ୍ତା ମଝିରେ ଚଳନ୍ତା କାର୍ରୁ ଓହ୍ଲାଇ ଡ୍ୟାନ୍ସ କରିବା ଅନେକଙ୍କୁ ମହଙ୍ଗା ପଡ଼ିଲା। କେତେଜଣ ନିଜେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଆଉ କେତେଜଣ ଅନ୍ୟମାନଙ୍କୁ ସମସ୍ୟାରେ ପକାଇଲେ।
ଏବେ ଓଡ଼ିଶାରେ ମଧ୍ୟ କେତେଜଣ ଯୁବପିଢ଼ି ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପଛାଇନାହାନ୍ତି, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ‘କଣ୍ଟ୍ରୋଲ ୟୋର୍ ଫିଲିଙ୍ଗ୍ସ’ ଏବଂ ‘ସେନ୍ସ ଓଭର୍ ଟ୍ରେଣ୍ଡ୍’ ହାର୍ସଟ୍ୟାଗ୍ରେ ଟୁଇଟର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ‘କିକି ଚ୍ୟାଲେଞ୍ଜଠାରୁ ପରିବାର ଅଧିକ ସୁନ୍ଦର। ଟ୍ରେଣ୍ଡ୍ ଅପେକ୍ଷା ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ।
ଭାବାବେଗ ଆସେ ଓ ଯାଏ। ଏ ସବୁଠୁ ଜୀବନକୁ ଊର୍ଦ୍ଧ୍ୱରେ ରଖ’ ବୋଲି ଏହି ଟୁଇଟ୍ରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ବିଭିନ୍ନ ମିମ୍ସ ମାଧ୍ୟମରେ ସଡ଼କ ସୁରକ୍ଷାର ବାର୍ତ୍ତା ଦେଇଥିବା ଓଡ଼ିଶା ପୋଲିସ କିଛିଦିନ ତଳେ ହେଲ୍ମେଟର ଆବଶ୍ୟକତା ନେଇ ଅଭିନବ ଶୈଳୀରେ ସିରିଜ୍ ଟୁଇଟ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲା।