Only for Entertainment

ରଥଯାତ୍ରାରେ ପୁଣିଥରେ ଦେଖିବାକୁ ମିଳିବ ସବ୍ୟ-ଅର୍ଚ୍ଚିତାଙ୍କ ସୁପରହିଟ ଯୋଡି

google
64

୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଏକ ଚର୍ଚ୍ଚିତ ସିନେମା ଥିଲା ‘ଅଭିମାନ’ । ଏହି ଚଳଚ୍ଚିତ୍ରରୁ ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଠିକ୍‍ ସେହିପରି ଏହି ‘ଅଭିମାନ’ ଥିଲା ପ୍ରଖ୍ୟାତ ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡିଶା ସିନେମା । ଏହି ସିନେମାରୁ ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏବଂ ସରୋଜ ପଟ୍ଟନାୟକ ବି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା ଆରମ୍ଭ କରିଥିଲେ । ‘ଅଭିମାନ’ ଏକ ମ୍ୟୁଜିକାଲ୍‍ ହିଟ୍‍ ଫିଲ୍ମ ଥିଲା ।

ପ୍ରାୟ ୪୩ ବର୍ଷ ପରେ ସେହି ସମାନ ଶୀର୍ଷକରେ ପୁଣି ଏକ ଓଡିଆ ସିନେମା ନିର୍ମିତ ହୋଇଛି । ଅର୍ଥାତ୍‍ ଏହି ସିନେମାର ଟାଇଟଲ୍‍ ରହିଛି ‘ଅଭିମାନ’ । ଏହାର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ୍‍ । ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରୁଛନ୍ତି ମୃତ୍ୟୁଞ୍ଜୟ ସାହୁ । ମୃତ୍ୟୁଞ୍ଜୟ ଏହା ପୂର୍ବରୁ ବ୍ୟାଚେଲର୍‍, ଯିଏ ଯାହା କହୁ ମୋର ଢୋ,ଭୈରବ, ଛାତି ତଳେ ଡିଂ ଡଙ୍ଗ୍‍ ଓ ନାୟକର ନାଆଁ ଦେବଦାସ ଇତ୍ୟାଦି ଓଡିଆ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

‘ଅଭିମାନ’ରେ ଦର୍ଶକ ପୁଣି ଥରେ ସବ୍ୟସାଚୀ -ଅର୍ଚ୍ଚିତାଙ୍କ ଯୋଡିକୁ ପରଦାରେ ଦେଖିବାକୁ ପାଇବେ । ‘ହେଲା ମୋତେ ପ୍ରେମ ଜର’ ପରେ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡି ପରଦାକୁ ଫେରୁଛନ୍ତି ଏଥର । ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଇଛି । ସୀତାରାମ ଅଗ୍ରୱାଲଙ୍କ ସହ ସବ୍ୟ- ଅର୍ଚ୍ଚିତା ଯୋଡି ଆଗରୁ ‘ପାଗଳ କରିଚି ପାଉଁଜି ତୋ’ର’ ଏବଂ ‘ମୁଁ ଏକା ତୁମର’ ରେ କାମ କରିଥିଲେ । ଏଥର ଏହି ଯୋଡି ପୁଣି କମାଲ୍‍ କରିବେ ବୋଲି ଆଶା କରଯାଉଛି । ‘ଅଭିମାନ’ର ସଂଳାପ ଲେଖିଛନ୍ତି ଡଃ ନିର୍ମଳ ନାୟକ । ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ । ‘ଅଭିମାନ’ ଆଗାମୀ ରଥଯାତ୍ରା ଅବସରରେ ମୁକ୍ତିଲାଭ କରୁଥିବାର ସୂଚନା ମିଳିଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More