ସତ୍କାର ପାଇଁ ଯାଉଥିବା ଶବ ଦେଖିବା ଶୁଭ !
ଜନ୍ମ ଗ୍ରହଣ କଲେ ମୃତ୍ୟୁ ନିଶ୍ଚୟ; ଏହା ନିରାଟ ସତ। ପ୍ରକୃତିର ଏହି କଠୋର ନିୟମକୁ ହିନ୍ଦୁଧର୍ମ ଶାସ୍ତ୍ର ଖୁବ୍ ଗରୁତ୍ୱ ଦିଏ। ହିନ୍ଦୁ ବେଦ ଅନୁସାରେ, ମୃତ୍ୟୁର ଅର୍ଥକୁ ଜୀବନ ଚକ୍ରରୁ ମୁକ୍ତି ବୋଲି ବିଚାର କରାଯାଏ। ମୃତ୍ୟୁର ଦେବତା ହେଉଛନ୍ତି ଯମ। ନଶ୍ୱର ଜଗତ୍ରୁ ଆତ୍ମାକୁ ଫେରାଇ ଆଣିବାକୁ ସେ ଦୂତ ପଠାନ୍ତି ବୋଲି ବିଶ୍ୱାସ କରାଯାଏ।
ଆତ୍ମା ଛଡ଼ା ଶରୀର ଯନ୍ତ୍ରଣା, ଭୟ ଓ ମୋହ ଅନୁଭବ କରେ ନାହିଁ। ତେଣୁ ତାହା ଆକାଶ, ବାୟୁ, ଜଳ, ଅଗ୍ନି ଓ ପୃଥିବୀରେ ଆଦି ପଞ୍ଚଭୂତରେ ମିଶିଯିବା କଥା।
ହିନ୍ଦୁ ପ୍ରଥାନୁସାରେ, ମୃତ୍ୟୁ ପରେ ଶବ ସତ୍କାର ପାଇଁ ଶ୍ମଶାନକୁ ନେବା ପ୍ରସ୍ତୁତ କରାଯାଏ। ପୁରୁଷ ଏବଂ ବିଧବାମାନଙ୍କ ଶବ ଶ୍ୱେତ ବସ୍ତ୍ରରେ ଘୋଡ଼ା ଯାଏ ଏବଂ ସଧବା ମହିଳାଙ୍କ ଶବ ଲାଲ୍ ବସ୍ତ୍ରରେ ଘୋଡ଼ା ଯାଏ। ପ୍ରଥାନୁସାରେ, ଶବରେ ଫୁଲ, ସୁଗନ୍ଧି ଏବଂ ନବବସ୍ତ୍ର ଲାଗି କରାଯାଏ।
ତା’ପରେ ପରିବାର ଲୋକେ ଶବକୁ କୋକେଇରେ ରଖି କାନ୍ଧରେ ବୋହି ଶ୍ମଶାନକୁ ନିଅନ୍ତି। ହିନ୍ଦୁ ପ୍ରଥାନୁସାରେ ଶବ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାରେ ନିଆଯାଏ। ଫଳରେ ମୃତ ବ୍ୟକ୍ତିଙ୍କ ପରିଚିତମାନେ ତାଙ୍କର ଶେଷ ଦର୍ଶନ କରି ପାରିବେ। ଏହାକୁ ଶବ ଶୋଭାଯାତ୍ରା କହନ୍ତି। କାନ୍ଧରେ ଶବ ବୋହିଲେ ଯାଗଯଜ୍ଞର ଫଳ ପ୍ରାପ୍ତି ହୋଇ ଥାଏ ବୋଲି ହିନ୍ଦୁ ଶାସ୍ତ୍ରରେ କୁହା ଯାଇଛି।
ଶବକୁ ଶୋଭାଯାତ୍ରାରେ ନେବା ଏବଂ କାର୍ଯ୍ୟକ୍ଷେତ୍ର, ଘର, ସ୍କୁଲ୍ ବା କଲେଜ ଯିବା ବେଳେ ଶବ ଦେଖିବା କାହିଁକି ଶୁଭଙ୍କର, ତା’ର ମଧ୍ୟ ଗୋଟାଏ କାରଣ ଅଛି। ଯାତ୍ରା କାଳରେ ଶବ ଦେଖିଲେ କ’ଣ କରିବା ଉଚିତ ତା’ର ମଧ୍ୟ ନିୟମ ରହିଛି।
ଯାତ୍ରା ପଥରେ ଶବ ଦେଖିବା ମାତ୍ରେ ଯାତ୍ରା ବନ୍ଦ କରି ହାତ ଯୋଡ଼ି, ମୁଣ୍ଡ ନୁଅାଁଇ ଶବିମନ୍ତ୍ର- ‘ଶିବ, ଶିବ, ଶିବ’ ଉଚ୍ଚାରଣ କରିବା ଉଚିତ। ତା’ପରେ ଯାଇ ପୁଣି ଯାତ୍ରା ଆରମ୍ଭ କରିବା କଥା।
ହିନ୍ଦୁ ଶାସ୍ତ୍ର ଅନୁସାରେ, ମୃତ୍ୟୁ ପରେ ଆତ୍ମା ଶରୀର ସହ ଜଡ଼ି ରହି ଯନ୍ତ୍ରଣା ଓ ଦୁଃଖ ପାଉଥାଏ। ସେତେବେଳେ ଶିବ ମନ୍ତ୍ର ଜପିଲେ ତାହା ଖଣ୍ଡିତ ହୋଇଥାଏ। ମନୁସ୍ମୃତି ଅନୁସାରେ ଗାଁ ଭିତର ଦେଇ ଶବ ଶୋଭାଯାତ୍ରାରେ ନେବା ବାଧ୍ୟତାମୂଳକ। ତା’ଛଡ଼ା ଶବ ଶୋଭାଯାତ୍ରା କାଳରେ ସାଧାରଣ କଥା ଆଲୋଚନା ନ କରି ଈଶ୍ୱରଙ୍କ ନାମ ଭଜିବା କିଂବା ମୃତବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ।
ଶବ ଶୋଭାଯାତ୍ରା ଦେଖିଲେ ଜଣେ ତୁରନ୍ତ ନିଜର ଆଶା ଆକାଙ୍କ୍ଷା ଶବ ସହ ପଠାଇ ଦେବା ଉଚିତ। ସେତେବେଳେ ମୃତଲୋକର ଆତ୍ମା ଯାହା ଶୁଣିଥାଏ ସେ ସବୁ ଯମଙ୍କ ପାଖକୁ ନେଇ ଯାଏ।
ଯାତ୍ରା ପଥରେ ଶବ ଦେଖିବା ଶୁଭ ବୋଲି ଜ୍ୟୋତିଷି ଶାସ୍ତ୍ର କହେ। ଭବିଷ୍ୟତ ପାଇଁ ଏହା ମଙ୍ଗଳ କର। ସବୁ ଅପୂର୍ଣ୍ଣ ଇଚ୍ଛା ଏବଂ କାମ ସାକାର ହେବା ସହ ଜୀବନରୁ ଅମଙ୍ଗଳ ଓ ଦୁଃଖ କଟିଯିବ।