ରିଲିଜର ଅଳ୍ପ ଦିନ ପୂର୍ବରୁ ବିବାଦରେ ପଡ଼ିଲା ଆମୀର ଖାନଙ୍କ ଠଗ୍ସ ଅଫ ହିନ୍ଦୋସ୍ତାନ ।
୨୦୧୮ର ବହୁପ୍ରତୀକ୍ଷିତ ସିନେମା ମଧ୍ୟରୁ ଗୋଟିଏ ହେଲା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’। ୩୦୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ରେ ଅମିତାଭ ବଚ୍ଚନ,ଅମୀର ଖାନ୍,କାଟ୍ରିନା କୈଫ୍ ଓ ଫାତିମା ସନା ଶେଖ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ର କାହାଣୀ ୧୮୩୯ରେ ପ୍ରକାଶିତ ଫିଲିପ୍ ମେଡୋଜ୍ ଟେଲରଙ୍କ ଉପନ୍ୟାସ ‘କନଫେସନ୍ସ ଅଫ୍ ଏ ଠଗ୍’ ଉପରେ ଆଧାରିତ। ଏଥିରେ ଏକ ଗ୍ୟାଙ୍ଗ୍ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଅଭିଯାନ ଚଳାଇଥିବାର କାହାଣୀ ରହିଛି।
ଏହି ସିନେମା ନଭେମ୍ବର ୮ ତାରିଖରେ ପରଦାକୁ ଆସୁଥିବାବେଳେ ଏହା ପୁଣି ଏକ ବିବାଦ ଭିତରେ ଫସି ଯାଇଛି। ଏଥର ଫିଲ୍ମର ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟ ଏବଂ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି। ଅଭିଯୋଗ ହୋଇଛି ଯେ ଏ ଦୁହେଁ ଲୋକଙ୍କର ଭାବନାକୁ ଆଘାତ କରିଛନ୍ତି ସିନେମାରେ।
ଆଇନଜୀବୀ ହଂସରାଜ ଚୌଧୁରୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ମକଦ୍ଦମା କରିଛନ୍ତି। ଏହି ବିବାଦୀୟ ପ୍ରସଙ୍ଗରେ ନ୍ୟାୟାଳୟରେ ସେ ନଭେମ୍ବର ୧୨ ତାରିଖରେ ନିଜର ପକ୍ଷ ରଖିବେ ବୋଲି ଜଣାଯାଇଛି।
କିଛି ଦିନ ଆଗରୁ ଫିଲ୍ମର ହିରୋ ଅମୀର ଖାନ୍ଙ୍କ ଅଭିନୀତ ଚରିତ୍ର ସହିତ ‘ମଲ୍ଲାହ’ ଶଦ୍ଦ ଉପଯୋଗ କରାଯାଇଥିବା ହେତୁ ତାହାକୁ ନେଇ ବିବାଦ ଉଠିଥିଲା। ମଲ୍ଲାହ ଏକ ଭାରତୀୟ ଜାତି। ଇଂରେଜମାନେ ମଲ୍ଲାହମାନଙ୍କୁ ଜାଣିଶୁଣି ଏଭଳି ଉଚ୍ଚାରଣ କରି ଅପମାନିତ କରୁଥିଲେ ବୋଲି କୁହାଯାଏ।