Only for Entertainment

ପ୍ରଖ୍ୟାତ ଓଡିଆ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଦେହାନ୍ତ I

ODISHA SUNTIMES
0 84

ଆଜି ମୁଁ ଶ୍ରାବଣୀ, ମୁଁ ଯେ ଜାଣେନା କାହା ବାଟ, ଏ ବନର ଛାଇ ଏହିଭଳି ଅନେକ ଲୋକପ୍ରିୟ ଗୀତ ଭେଟି ଦେଇଥିବା ଗୀତିକାର ଏବେ ଆମ ଗହଣରେ ନାହାଁନ୍ତି । ୮୪ ବର୍ଷ ବୟସରେ ପ୍ରଖ୍ୟାତ ଓଡିଆ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଦେହାନ୍ତ ହୋଇଛି, ରବିବାର କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛିା ତାଙ୍କ ପରଲୋକରେ ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ବାର୍ଧକ୍ୟଜନିତ ରୋଗରେ ପୀଡିତ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୩୪ ମସିହାରେ ବାରିପଦାରେ ଗୁରୁକୃଷ୍ଣ ଗୋସ୍ୱାମୀ ଜନ୍ମଗ୍ରହଣ କରିଥିଲେ । ଆଉ ଓଡିଆ ଚଳଚ୍ଚିତ୍ର ‘ମାଆ’ରେ ପ୍ରଥମ ଥର ଗୀତିକାର ଭାବେ ନିଜ ପ୍ରତିଭା ଦେଖାଇଥିଲେ ସ୍ୱର୍ଗତ ଗୁରୁକୃଷ୍ଣ ଗୋସ୍ୱାମୀ । ତାଙ୍କ ରଚିତ ଅନେକ ସଙ୍ଗୀତ ଆଜିବି ସ୍ରୋତାଙ୍କ ମନରେ ରହିଛି । ଆଜି ମୁଁ ଶ୍ରାବଣୀ ୧୯୬୮ରେ ଚଳଚ୍ଚିତ୍ର ଅରୁନ୍ଧତୀରେ ସ୍ଥାନ ପାଇଥିବା ଏହି ଗୀତଟି ଗୁରୁକୃଷ୍ଣଙ୍କ ରଚିତ ଏକ ମନଛୁଆଁ ଗୀତ । ସେହିପରି ଗପ ହେଲେ ବି ସତ ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ଗୀତ ଏ ବନର ଛାଇ, ଗୁରୁକୃଷ୍ଣଙ୍କ ଅନ୍ୟଏକ ଅବଦାନ ।

୧୬ ଶହରୁ ଅଧିକ ଭଜନ, ଆଧୁନିକ ଓ ଲୋକଗୀତ ରଚନା କରିଛନ୍ତି । ଓଡିଆ ସଙ୍ଗୀତ ଜଗତ ସହ ସେ ଦୀର୍ଘ ୬୦ ବର୍ଷ ଧରି ଜଡିତ ଥିଲେ । ୩୦ରୁ ଅଧିକ ଓଡିଆ ସିନେମାରେ ଗୀତରଚନା କରିଥିଲେ ଗୁରୁକୃଷ୍ଣ । ବଲିଉଡର ପ୍ରସିଦ୍ଧ କଂଠଶିଳ୍ପୀ ମହମ୍ମଦ ରଫି ଓ ଲତା ମଂଗେସକରଙ୍କ ସହ ମଧ୍ୟ ସେ କାମ କରିଛନ୍ତି । କଟକ ତୁଳସୀପୁରସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଶେଷଦର୍ଶନ କରିଛନ୍ତି । ଏହି ପ୍ରସିଦ୍ଧ ଗୀତିକାରଙ୍କୁ ୨ ହଜାର ମସିହାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ଏହି ମହାନ୍ ଗୀତିକାର ଆଜି ସିନା ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କ ରଚିତ ଗୀତ ସବୁବେଳେ ସ୍ରୋତାଙ୍କ ମନରେ ରହିଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More