‘ବାବୁ ଭାଇଜାନ୍’ ସହିତ ପରଦାକୁ ଫେରିବେ ଅରିନ୍ଦମ, ଏହି ନାୟିକାଙ୍କ ସହିତ କରିବେ ସ୍କ୍ରିନ ସେୟାର
ଅନେକ ଦିନର ବ୍ୟବଧାନ ପରେ ପୁଣିଥରେ ଓଲିଉଡ୍ ପରଦାରେ ଦେଖିବାକୁ ମିଳିବ ଆକ୍ସନ୍ ଷ୍ଟାର୍ ଅରିନ୍ଦମଙ୍କ ଜବରଦସ୍ତ ଅନ୍ଦାଜ୍ । ଯୁବ ପୀଢିର ନାୟିକା ଶୀବାନୀଙ୍କ ସହ ପ୍ରଥମ ଥର ସ୍କ୍ରିନ୍ ସେୟାର୍ କରିବେ ଅଭିନେତା ଅରିନ୍ଦମ୍ । ଦୁହିଁଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର ଟାଇଟେଲ୍ ରହିଛି ‘ବାବୁ ଭାଇଜାନ୍’ । ଏହି ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇ ଯାଇଛି ।
ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ ସାଧାରଣ ଲୋକ ଅବଦୁଲ୍ ଅମିନ୍ ଖାନଙ୍କ ସଂଘର୍ଷ ଭରା ଜୀବନକୁ ନେଇ ସିନେମାର କାହାଣୀ ଗତିଶୀଳ ହେବ । ବାଲେଶ୍ୱରର ଜିଲ୍ଲାର ଏକ ଛୋଟିଆ ଗାଁରୁ ବାହାରି କିଭଳି ଅବ୍ଦୁଲ୍ ଅମିନ୍ ଖାନ୍ ଜଣେ ବଡ ବ୍ୟବସାୟୀ ହୁଏ ଆଉ ବାବୁ ଭାଇଜାନ୍ ଭାବେ ନିଜର ପରିଚୟ ବନାଏ ତାହାକୁ ନେଇ କାହାଣୀଟି ଗତିଶୀଳ ହେବ । ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଏହି ସିନେମାରେ ଅଭିନେତା ଅରିନ୍ଦମଙ୍କୁ ବାବୁ ଭାଇଜାନ୍ ଚରିତ୍ରରେ ଦେଖିବାକୁ ମିଳିବ । ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ଶୀବାନୀ ଆସିବେ ନଜର ।
ଖ୍ୱାଜା ଗରିବ ନୱାଜ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେବେ ତାପସ ସରଘରିଆ । ସିନେମାର କାହାଣୀ, ସ୍କ୍ରିନ ପ୍ଲେ ସହ ପ୍ରଯୋଜନା କରୁଛନ୍ତି ସନ୍ତୋଷ ନାରାୟଣ ଦାସ୍ । ଫିଲ୍ମରେ ଅନ୍ୟାନ୍ନ ପ୍ରମୁଖ ଭୂମିକାରେ ଶ୍ରୀତମ ଦାସ, ବବି ମିଶ୍ର, ମିହିର୍ ଦାସ, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଦୀପକ ମିଶ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ସୋମା ହୋତା, ବିଦୁଷ୍ମିତା ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ସିନେମାର ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର ।
ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇ ସାରିଥିବାବେଳେ, ଫିଲ୍ମଟିର ସୁଟିଂ ଆରମ୍ଭ ହୋଇ ଯାଇଛି । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ବାବୁ ଭାଇଜାନ୍ ।