ମାଡାମ ତୁଷାଦରେ ସ୍ଥାନ ପାଇବ ଦୀପିକାଙ୍କ ମହମ ମୂର୍ତ୍ତି ।
ଲଣ୍ଡନର ମାଡାମ୍ ତୁଷାଦ ମ୍ୟୁଜିୟମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଓ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ମହମ ମୂର୍ତ୍ତି ସ୍ଥାନ ପାଇଥାଏ। ଏବେ ସେହି ସୌଭାଗ୍ୟ ବଲିଉଡରେ ଗ୍ଲାମର କୁଇନ୍ ଦୀପିକା ପାଦୁକୋନଙ୍କୁ ମିଳିଛି। ଦୀପିକା ଏବେ ମାଡାମ୍ ତୁଷାଦ ମ୍ୟୁଜିୟମ ଶୋଭା ବଢ଼ାଇବେ। ଲଣ୍ଡନରେ ସ୍ଥିତ ମାଡାମ୍ ତୁଷାଦ ମ୍ୟୁଜିୟମରେ ଦୀପିକାଙ୍କ ୱାକ୍ସ ଷ୍ଟାଚ୍ୟୁ ସ୍ଥାପନ କରାଯିବ। ଏଥିପାଇଁ ଦୀପିକା ଏବେ ଲଣ୍ଡନରେ ଅଛନ୍ତି।
ଦୀପିକାଙ୍କ ପୂର୍ବରୁ ବଲିଉଡର ଅନେକ ସେଲିବ୍ରିଟିଙ୍କ ମହମ ମୂର୍ତ୍ତି ସେଠାରେ ସ୍ଥାନ ପାଇ ସାରିଛି । ଏବେ ଏହି ତାଲିକାରେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନଙ୍କ ନାମ ସାମିଲ ହେବାକୁ ଯାଉଛି ।
ଚଳିତ ବର୍ଷ ଆରମ୍ଭରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ଯାହାର ଶୁଭାରମ୍ଭ ‘ପଦ୍ମାବତ୍’ରୁ ହୋଇଥିଲା।ଏହି ଚଳଚ୍ଚିତ୍ର ଏବର୍ଷ ଭଲ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ।ଧମାକାଦାର ପ୍ରଦର୍ଶନ କରିଥିବା ଏହି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇପାରି ଥିଲା। ଏଥିସହ ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରତିଭାଙ୍କୁ ନେଇ ବିଶ୍ୱ ମହିଳା ଦିବସ ଅବସରରେ ‘ଭେରାଇଟି’ ମାଗାଜିନ୍ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିଲା।
ଏହି ତାଲିକାରେ ଭାରତର ଫିଲ୍ମ ଜଗତରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସ୍ଥାନ ପାଇଥିଲେ। ଏମିତି ଅନେକ ସଫଳତା ସୂଚୀରେ ଦୀପିକାଙ୍କ ନାଁ ରହିଛି। ସେହିପରି ଚଳିତ ବର୍ଷ ଟାଇମ୍ସର ମାଗାଜିନ୍ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ ପ୍ରଭାବଶାଳୀଙ୍କ ମଧ୍ୟରେ ଦୀପିକା ଅଛନ୍ତି। ଏହାଛଡ଼ା ଏମ୍ଆଇଟି ଗାଲା ଏବଂ କାନ୍ ୨୦୧୮ରେ ଜବରଦସ୍ତ ଉପସ୍ଥାପନା କରି ଦୀପିକା ସମସ୍ତଙ୍କ ହୃଦୟ ଜିତି ପାରିଥିଲେ।