ଭିକ୍କି କୌଶଲଙ୍କ ଫିଲ୍ମ ‘ଉରୀ’ର ବହୁ ଚର୍ଚ୍ଚିତ ଡାଇଲଗ୍ ‘ହାଓଜ୍ ଦି ଜୋସ୍’ ନାମରେ ପରଷା ଯାଉଛି ମଟନ୍, ଦେଖନ୍ତୁ ଫଟୋ
ଦମ୍ଦାର ଅଭିନୟ ଜରିଆରେ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭିକ୍କି କୌଶାଲ ଆଜିକାଲି ସୋଶିଆଲ ମିଡ଼ିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି । ଭିକ୍କି କୌଶାଲ ଏବେ ନିଜର ଫେମସ୍ ଡାଇଲଗ୍କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏନେଇ ସେ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ନିଜ ଫେମସ୍ ଡାଇଲଗ୍ରୁ ତିଆରି ହୋଇଥିବା ଡିସ୍ର ନାମକୁ । ଭିକ୍କିଙ୍କ ଅଭିନୀତ ଫିଲ୍ମ ‘ଉରୀ – ଦି ସର୍ଜିକାଲ ଷ୍ଟ୍ରାଇକ୍’ର ବହୁ ଚର୍ଚ୍ଚିତ ଡାଇଲଗ୍ ‘ହାଓଜ୍ ଦି ଜୋସ୍’କୁ ଏବେ ଡିସ୍ର ନାମ ଦିଆଯାଇଛି ।
ଭିକ୍କି ଏଇ ନିକଟରେ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏ ବିଷୟରେ ଏକ ଫଟୋ ସେୟାର କରିଛନ୍ତି । ଭିକ୍କି ସେୟାର କରିଥିବା ଫଟୋଟିରେ ‘ହାଓଜ୍ ଦି ଜୋସ୍’ ନାମରେ ମଟନ୍ ପରଷା ଯାଉଥିବା ସେ ସୂଚନା ଦେଇଛନ୍ତି । ଫିଲ୍ମ ଅପେକ୍ଷା ଏହାର ‘ହାଓଜ୍ ଦି ଜୋସ୍’ ଡାଇଲଗ୍ଟି ବେଶ୍ ଚର୍ଚ୍ଚା ସାଉଁଟି ଥିଲା । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ ମଧ୍ୟ ଏହି ଡାଇଲଗ୍ ଶୁଣିବାକୁ ମିଳିଥିଲା ।
ଏହି ଡାଇଲଗ୍ ବିଷୟରେ ଫିଲ୍ମଟିର ନିର୍ଦ୍ଦେଶକ ଆଦିତ୍ୟ ଧର ଏକ ରୋଚକ କାହାଣୀ କହିଛନ୍ତି । ଏହି ଡାଇଲଗ୍ଟି କିଭଳି ତାଙ୍କ ମୁଣ୍ଡକୁ ଜୁଟିଥିଲା ସେ ସମ୍ପର୍କରେ ସେ କହିଛନ୍ତି ଯେ, ତାଙ୍କର କିଛି ସାଙ୍ଗ ଡିଫେନ୍ସ ବ୍ୟାଗ୍ରାଉଣ୍ଡରୁ ଆସିଥିବାରୁ ସେ ପ୍ରାୟତଃ ଦିଲ୍ଲୀସ୍ଥିତ ଏକ ଆର୍ମି କ୍ଳବ୍କୁ ଯାଉଥିଲେ । ଏହି ସ୍ଥାନରେ ସେମାନେ କ୍ରିସ୍ମାସ ପାଳନ କରିବା ସମୟରେ ସମସ୍ତେ ଏକାଠି ହୁଅନ୍ତି । ସେଠାରେ ଜଣେ ଅବସରପ୍ରାପ୍ତ ବ୍ରିଗେଡିଅର୍ ଏହି େଫମସ୍ ଲାଇନ୍କୁ କହୁଥିଲେ ଏବଂ ଏହାର ପ୍ରତିଜବାବରେ ସେଠାରେ ଉପସ୍ଥିତ ଯୁବକମାନେ ‘ହାଇ ସର୍’ କହୁଥିଲେ । ଯାହାର ସ୍ୱର ଖୁବ୍ ଜୋର୍ରେ ଶୁଣାଯାଉଥିଲା, ତାଙ୍କୁ ଉପହାରସ୍ୱରୂପ ଏକ ଚକ୍ଲେଟ୍ ଦିଆଯାଉ ଥିଲା । ଖୁବ୍ ଜୋର୍ରେ ଉତ୍ତର ଦେଉଥିବାରୁ ନିର୍ଦ୍ଦେଶକ ଆଦିତ୍ୟଙ୍କୁ ହିଁ ଚକ୍ଲେଟ୍ ମିଳୁଥିଲା । ଏହି ଡାଇଲଗ୍କୁ ଏତେ ବଡ଼ ସଫଳତା ମିଳିବ ବୋଲି କେବେ ଅନୁମାନ ମଧ୍ୟ କରିନଥିବା ସେ କହିଛନ୍ତି ।