Only for Entertainment

ଇତିହାସ ପୃଷ୍ଠାରେ ଆର.କେ ଷ୍ଟୁଡିଓ !

130

ବଲିଉଡ୍‌ର ଅନେକ ସ୍ମୃତି ବହନ କରୁଥିବା ତଥା ମାୟାନଗରୀ ମୁମ୍ବାଇର ଅନ୍ୟତମ ଆକର୍ଷଣ ଥିବା ଆର୍‌ କେ ଷ୍ଟୁଡ଼ିଓର ଆଜି ଆନୁଷ୍ଠାନିକ ଭାବେ ଯବନିକା ପତନ ଘଟିବା ସହ ଏହାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ବଲିଉଡ୍‌ର ଗୋଟିଏ ସୁନେଲି ଅଧ୍ୟାୟର ପରିସମାପ୍ତି ଘଟିଛି ଏବଂ ଇତିହାସର ପୃଷ୍ଠା ମଧ୍ୟକୁ ଚାଲିଯାଇଛି ଆର୍‌ କେ ଷ୍ଟୁଡିଓ।

ଉଲ୍ଲେଖଯୋଗ୍ୟ, ରୁପେଲି ପରଦାର ସୋ’ମ୍ୟାନ ଭାବେ ଖ୍ୟାତ କୈମ୍ବଦନ୍ତୀକ କଳାକାର, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରାଜ କପୁର ବିଗତ ୧୯୪୮ ମସିହାରେ ମୁମ୍ବାଇର ଚେମ୍ବୁରଠାରେ ଏହି ଆର୍‌ କେ ଷ୍ଟୁଡ଼ିଓକୁ ପ୍ରତିଷ୍ଠା କରିଥିଲେ। ୨.୨ ଏକର (୩୩ ହଜାର ସ୍କୋୟାର ମିଟର) ପରିମିତ ଜମି ଉପରେ ପ୍ରତିଷ୍ଠିତ ଆର୍‌ କେ ଷ୍ଟଡିଓ ଥିଲା ରାଜ୍‌ କପୁରଙ୍କ ମାନସ ସନ୍ତାନ। ଏହି ଷ୍ଟୁଡ଼ିଓରେ ହିଁ ସେ ନିର୍ମାଣ କରିଥିଲେ ତାଙ୍କର ଅନେକ ଚର୍ଚ୍ଚିତ ଓ ଚିର ସବୁଜ ଚଳଚ୍ଚିତ୍ର।

ତେବେ, ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଆର୍‌ କେ ଷ୍ଟୁଡ଼ିଓରେ ଏକ ଟିଭି ରିଏଲିଟି ସୋ’ ସୁପର ଡ୍ୟାନ୍ସରର ସୁଟିଂ ଚାଲିଥିବା ବେଳେ ଏଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣା ପରେ ଆର୍‌ କେ ଷ୍ଟୁଡ଼ିଓକୁ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍‌ କପୁରଙ୍କ ପରିବାର ବର୍ଗ ଏବଂ ଆର୍‌ କେ ଷ୍ଟୁଡିଓ କିଣିଥିଲେ ଗୋଦ୍‌ରେଜ୍‌ ପ୍ରପଟିଜ୍‌। ଏହି ସଂପତ୍ତିର ମୂଲ୍ୟ ୨୦୦ କୋଟିରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଗୋଦ୍‌ରେଜ୍‌ ପ୍ରପଟିଜ୍‌ କେତେ ମୂଲ୍ୟରେ ଏହି ସଂପତ୍ତିକୁ କ୍ରୟ କରିଛନ୍ତି, ତାହା ଜଣାପଡ଼ି ନାହିଁ।ଅନ୍ୟପକ୍ଷରେ ଗୋଦ୍‌ରେଜ୍‌ ପ୍ରପଟିଜ୍‌ ଆର୍‌ କେ ଷ୍ଟୁଡିଓକୁ ଭାଙ୍ଗି ମାଟିରେ ମିଶାଇ ଦେବାପରେ ଏହି ଜମି ଉପରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନିର୍ମାଣ କରିବ ଏବଂ ପ୍ରତି ବର୍ଗଫୁଟକୁ ୨୪ ହଜାରରୁ ୨୮ ହଜାର ଦରରେ ବିକ୍ରୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହି ଆର୍‌ କେ ଷ୍ଟୁଡିଓରେ ହିଁ ନିର୍ମିତ ହୋଇଥିଲା ଆଗ୍‌, ବର୍‌ସାତ୍‌, ଆଓ୍ଵାରା, ଶ୍ରୀ ୪୨୦, ଜିସ୍‌ ଦେଶ୍‌ ମେଁ ଗଙ୍ଗା ବହତି ହେ, ମେରା ନାମ ଜୋକର, ବବି, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌, ରାମ୍‌ ତେରି ଗଙ୍ଗା ମୈଲୀ ପରି ଆହୁର ବହୁତ ଚର୍ଚ୍ଚିତ ଓ ଚିର ସବୁଜ ଚଳଚ୍ଚିତ୍ର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More