ବଲିଉଡ ହଟ ଅଭିନେତ୍ରୀ ମଲାଇକା ଅରୋରା ଆଜି ୪୫ ବର୍ଷ ପାର କରି ସାରିଥିଲେ ମଧ୍ୟ ଫିଟନେସ ମାମଲାରେ ସେ ୧୮ ବର୍ଷିୟ ଅଭିନେତ୍ରୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏପରି କହିବା ଭୁଲ ହେବ ନାହିଁ ଯେ, ବୟସ ମଲାଇକାଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନି । ବଲିଉଡରେ ମଲାଇକାଙ୍କୁ ପରିଚୟ ଦେଇଥିଲା ଫିଲ୍ମ ‘ଦିଲ ସେ’ର ଗୀତ ‘ଛୈୟା ଛୈୟାଁ’ । ଶାହରୁଖ ଖାନଙ୍କ ସହିତ ଚାଲୁଥିବା ଟ୍ରେନରେ ଡ୍ୟାନ୍ସ କରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଏହି ଗୀତ ପାଇଁ ମଲାଇକା ଅରୋରା ପ୍ରଥମ ପସନ୍ଦ ନଥିଲେ । ଏହାର ଖୁଲାସା ଖୋଦ ଫରାହ ଖାନ କରିଛନ୍ତି ।
ଗୋଆରେ ଚାଲୁଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆରେ ପହଁଚିଥିବା ଫରାହ ଖାନ ଏହାର ଖୁଲାସା କରି କହିଛନ୍ତି ଛୈୟାଁ ଛୈୟାଁ ଗୀତ ପାଇଁ ପ୍ରଥମେ ରବୀନା ଟଣ୍ଡନ ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଆପ୍ରୋଚ କରାଯାଇଥିଲା । କିନ୍ତୁ ରବୀନା ଏବଂ ଶିଳ୍ପାଙ୍କ ସହିତ ଏହା ଫାଇନାଲ ହୋଇପାରିଲା ନାହିଁ । ଏହା ପରେ ଏହି ଅଫର ମଲାଇକା ଅରୋରାଙ୍କୁ ମିଳିଥିଲା ।
ଫରାହ କହିଛନ୍ତି ଯେ, ଆମେ ଏହି ଗୀତକୁ ଷ୍ଟେସନରେ ସୁଟ କରିବା ପାଇଁ ଚାହୁଁଥିଲୁ ମାତ୍ର ଆମକୁ ପରମିଶନ ମିଳିଲା ନାହିଁ । ଏହା ପରେ ଆମେ ଚାଲୁଥିବା ଟ୍ରେନ ଉପରେ ପୂରା ଗୀତ ସୁଟ କରିଥିଲୁ । ଏହାର ସୁଟ କରିବା ପାଇଁ ଆମକୁ ଚାରିଦିନ ଲାଗିଗଲା । ରବୀନା ଏବଂ ଶିଳ୍ପା ମନା କରିବା ପରେ ଏହି ଗୀତକୁ ମଲାଇକା ଅରୋରା ସୁଟ କରିଥିଲେ ।
ମଲାଇକା ଏବେ ଫିଲ୍ମରେ ନଜର ଆସୁନାହାଁନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ମଲାଇକା ଏବେ ଅଭିନେତା ଅର୍ଜୁନ କପୁରଙ୍କ ସହିତ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି ।